…………………………….
ଅତି କମନୀୟ ମାଲ୍ଯବନ୍ତ ଗିରି
କବି କି ବର୍ଣ୍ଣିବ ଅପରୂପ ଶୀରି..!!
ବର୍ଷା କାଳ ଯେଣୁ ହେଲା ପ୍ରବେଶ
ଶୁଷ୍କ ତରୁଗଣ ହେଲେ ଉଲ୍ଲାସ…!!
ଚୁମ୍ବନ ଦେଲେ ମନ୍ଦରକୁ ଅମ୍ବୁଜ
କାମିନୀ ଯେହ୍ନେ ତେଜି ମନୁ ଲାଜ..!!
ମାଲ୍ଯବନ୍ତ ଗିରି ସତେ କି ଇନ୍ଦ୍ର
ମେଘ-ଅପସରୀ ତୋଳଇ ଛନ୍ଦ..!!
ରଚନ୍ତି ନୃତ୍ୟ ନାନା ରଙ୍ଗେ
ବରଷିଣ ବାରି ଗାଇ ସୁରଙ୍ଗେ…!!
ଅଟବୀ ପତ୍ରେ ପଡି ବାରି ଧାର
ସୁନ୍ଦର ସଂଗୀତ ଶ୍ରୁତି ମଧୁର…!!
ମାଲ୍ଯବନ୍ତ ଅଙ୍ଗ ଧୌତ କରି
ବହେ ନିର୍ଝର ରାମ ସୁମରି…!!
ବରଷା କାଳେ ମାଲ୍ଯବନ୍ତେ ପୁଣ
ବୈଦେହୀ ସହିତ ଭ୍ରାତ ଲକ୍ଷ୍ମଣ…!!
ଥିଲେ ରଘୁପତି ମାଲ୍ଯବନ୍ତରେ
ଚତୁର୍ମାସ୍ଯା କାଳ ଏହି ବନରେ…!!
କି ପୂଣ୍ଯ ଅଟଇ ଏ ମାଲ୍ଯବନ୍ତ
ବୋଳି ହେଲେ ଧୂଳି ପାପ ଦୂରିତ…!!
ସବୁଜ ସୁନ୍ଦର ବିଚିତ୍ର ଗିରି
ଫଳ ଫୁଲ କନ୍ଦେ ରହିଛି ପୂରି…!!
ଭଲ୍ଲୁକ ପଶୁ ବରଜି ହିଂସା
ଭୈରବୀ ମନ୍ଦିରେ କରଇ ବସା…!!
ଭୋଗ ରାଗ ଖାଇ ଗିରିକୁ ଯାଏ
ପଥିକ ଜନର ଆଦର ପାଏ….!!
ଶଇଳ ଶିଖରେ ଶିବ ମନ୍ଦିର
ଜନାର୍ଣ୍ଣବ ହୁଏ ହେଲେ ଜାଗର…!!
ମଲ୍ଲିକେଶ୍ବର ନାମେ ଖ୍ଯାତ ଶମ୍ଭୁ
ଶ୍ରାବଣେ ମୁକତି ଢାଳିଲେ ଅମ୍ବୁ…!!
ସତୀଗୁଡା ବନ୍ଧ ସୁନୀଳ ଜଳ
ରବି କର ପଡି ଦିଶେ ଉଜ୍ବଳ.!!
ହଂସ ଜଳକାକ ଧବଳ ବକ
ମାଛ ରଙ୍ଗା ପୁଣି କୂଳେ ଡାହୁକ….!!
ଜଳ କ୍ରାଡା କରେ ମରାଳ ପଂକ୍ତି
ଧୀବର ସଳିଳେ ମୀନ ଧରନ୍ତି……!!
କୂଳେ ବିକଶିତ କୁମୁଦ ପଦ୍ମ
କି ଶୋଭା ଭାଷିବ ନାହିଁତ ଶବ୍ଦ….!!
ପ୍ରକୃତି ଶୋଭାର ନାହିଁ ଉପମା
ଚାରୁ ଚିତ୍ରପଟ୍ଟ ଲଙ୍ଘିଛି ସୀମା…..!!
କିଛି ଦୂରେ ଦେଖ ବାଲି ସାଗର
ବାଳିର ଅଟଇ ଏ ସରୋବର……!!
ବାଳି ରାଜା ଏଠି କରେ ସିନାନ
କିଷ୍କନ୍ଧ୍ଯା ରାଇଜେ ଥିଲେ ରାଜନ…!!
ସୁଗ୍ରୀବ ସହିତ କଲେ ମଇତ୍ର
ସପ୍ତ ଶାଳ ବୃକ୍ଷ ଛେଦିଲେ ମାତ୍ର….!!
ଦୁନ୍ଦୁଭି ଅସୁର ଅସ୍ଥିକୁ ପୁଣ
ପଦାଘାତେ ନଭେ ଉଡିଲା ଜାଣ….!!
ବାଳି ସୁଗ୍ରୀବର ସମର ଭୂଇଁ
ଶୁବଳୟା ଗିରି ନାମଟି କହି…….!!
କୋରୁକୋଣ୍ଡା ବୋଲି ଜନ ଶ୍ରୁତିରେ
କିମ୍ବଦନ୍ତୀ ସ୍ମୃତି ସ୍ଥିତି ମତିରେ….!!
ମାଲ୍ଯବନ୍ତେ ବହେ ଶାବେରୀ ନଈ
ଶବରୀ ଶାବେରୀ ନାମଟି କହି….!!
ଦଣ୍ଡକାରଣ୍ଯ ବନେ କରି କୁଟୀର
ଶବରୀ ରାମଙ୍କୁ ସ୍ମରି ତତ୍ପର….!!
ଖୁଆଇଲା ଦେଖ ଅଇଁଠା କୋଳି
ଶ୍ରୀରାମଙ୍କ ମାୟା କେ ପାରେ କଳି…!!
ଭକତ ବତ୍ସଳ ପ୍ରଭୁ ଶ୍ରୀରାମ
ଶବରୀକୁ ନଦୀ କରିଲେ ପୁଣ……!!
ଶାବେରୀ ସରିତ ଆହା କି ପୂଣ୍ଯ
ଅବଗାହେ ଗାତ୍ର ହୋଇବ ଧନ୍ଯ….!!
ମୋଟୁ ସୀମାନ୍ତେ ଗୋଦାବରୀ ବହେ
ନାଶେ ପିଣ୍ତୁ ପାପ ଯେ ଅବଗାହେ….!!
ପଞ୍ଚବଟୀ ଏହି ତଟରେ ଜାଣ
ରହିଥିଲେ ପ୍ରଭୁ ଶ୍ରୀରଘୁରାଣ…..!!
ଗଢିଥିଲେ ପର୍ଣ୍ଣ କୁଟୀର ସେଠି
ସୀତା ମାତା ଚୋରୀ ହେଲେ ଏଇଠି…!!
ଧରି ଯତି ବେଶ ବିଶ୍ରବା ସୁତ
ପଞ୍ଚବଟୀରୁ ହରି ସୀତା ମାତ….!!
ପୁଷ୍ପକ ବିମାନେ ଲଙ୍କାକୁ ନେଲା
ଯେଣୁ ସୂର୍ପଣଖା ନାକ ଛେଦନ ହେଲା..!!
ପୁରାଣର ଗାଥା ସ୍ମୃତି ପଟଳେ
ବିମ୍ବିତ ହୁଅଇ ନେତ୍ର ପଟଳେ….!!
ଧନ୍ଯ ଧନ୍ଯ ମାଲ୍ଯବନ୍ତ ଗିରି ଶୀରି
କବି କେଶବର ନାହିଁ ଚାତୁରୀ..!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭