ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମସି ।

ଭୁବନେଶ୍ୱର,୦୯/୦୪(ପିପିଟି):ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମସିର ଆଉ ଏକ ପଦକ୍ଷେପ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ଥିବା ସମସ୍ତ ଆବାସିକ କଲ୍ୟାଣ ସଂଗଠନ (ଆର୍ ଡବ୍ଲ୍ୟୁ ଏ)ର କର୍ମକର୍ତ୍ତାଙ୍କର ସହଯୋଗ ଲୋଡିଲା ବିଏମ୍ ସି । ସମଗ୍ର ବିଏମ୍ ସି ଅଂଚଳକୁ କିପରି ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରାଯାଇ ପାରିବ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଆଉ କଣ କରାଗଲେ, ଆମେ ସହଜରେ ସ୍ମାର୍ଟ ଭୁବନେଶ୍ୱରକୁ ସ୍ମାର୍ଟର ଭୁବନେଶ୍ୱରେ ପରିଣତ କରିପାରିବା, ସେ ନେଇ ସେମାନଙ୍କ ସହାୟତା ଓ ସହଯୋଗ ଲୋଡିଥିଲେ ମାନନୀୟା ମେୟର ଓ କମିଶନର ।
ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କମିଶନର ଶ୍ରୀ ଚଞ୍ଚଳ ରାଣା, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିମଳ ଉପାଧ୍ୟକ୍ଷ ଶ୍ରୀ ଏନ୍.ଗଣେଶ ବାବୁ, କର୍ପୋରେଟର ଶ୍ରୀ ଅମରେଶ ଜେନା, ମିହିର କୁମାର ରାଉତ, ମାନସୀରାଣୀ ସୁନ୍ଦରାୟ, ଦୀପକ କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନୟ ନିୟମ ସଂପର୍କରେ କମିଶନର ଉପସ୍ଥିତ ଆବାସିକ କଲ୍ୟାଣ ସଂଗଠନର କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ବିଏମ୍ ସି ଅଂଚଳର ଜନସାଧାରଣଙ୍କ ପାଇଁ ଭୁନବେଶ୍ୱର ଦେଶର ୯ ନମ୍ବର ହୋଇଛି । ଏବେ ସେହିମାନେ ଚାହିଁଲେ, ବିଏମସି ଦେଶର ଏକ ନମ୍ବର ହେବ ବୋଲି କହିବା ସହ ଆବସିକ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗ ଲୋଡିଥିଲେ । ଏହି ବୈଠକରେ ଯୋଗଦେଇଥିବା ୧୫୦ ଗୋଟି ଆବାସିକ କଲ୍ୟାଣ ସଂଗଠନର ଶତାଧିକ କର୍ମକର୍ତ୍ତା ସେମାନଙ୍କ ମତାମତ ଦେବା ସହ ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର ତଥା ବର୍ଜ୍ୟ ମୁକ୍ତ ଭୁବନେଶ୍ୱର ଗଠନ କରିବା ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସେମାନଙ୍କ ଅଂଚଳ ବୁଲିଯିବା ପାଇଁ ମାନନୀୟା ମେୟର ଓ କମିଶନରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଦେଶର ଏକ ନମ୍ବର କରିବା ପାଇଁ ସମସ୍ତେ ସମ୍ମିଳିତ ଭାବେ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ଆବାସିକ ସଂଗଠନର କର୍ମକର୍ତ୍ତାମାନେ । ନିଜ ନିଜ ଅଂଚଳକୁ ସ୍ୱଚ୍ଛ ରଖିବା ସହ ଆବଶ୍ୟକ ପଡିଲେ ସେମାନେ ବିଏମସିର ସହାୟତା ଲୋଡିବେ ବୋଲି କହିଛନ୍ତି । ଏହି ପ୍ରସ୍ତାବକୁ ମାନନୀୟା ମେୟର ଓ କମିଶନର ସ୍ୱାଗତ କରିବା ସହ ଭୁବନେଶ୍ୱର ସଫା ଆପ୍ କିମ୍ବା ୧୯୨୯ ଟୋଲ୍ ଫ୍ରି ନମ୍ବରରେ ଜଣାଇବା ପାଇଁ ବିଏମସି ପକ୍ଷରୁ ସମସ୍ତୁଙ୍କୁ ଅନୁରୋଧ କରାଯାଇଛି ।

Comments (0)
Add Comment