ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ଆକ୍ରମଣକୁ ଫରୱାର୍ଡ଼ ବ୍ଲକର ନିନ୍ଦା ।

ଭୁବନେଶ୍ବର,୨୪/୦୫(ପିପିଟି): ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ବରିଷ୍ଠ ବିଜେଡି ନେତା ତଥା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ସର୍ବସମ୍ମୁଖରେ ହୋଇଥିବା ଆକ୍ରମଣ ଘଟଣାକୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ,ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଜଣେ ଜନପ୍ରିୟ ବିଧାୟକ ନିଜ ସାମ୍ବିଧାନିକ ଓ ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବାକୁ ଯାଉଥିବା ବେଳେ ରାଜରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାଙ୍କ ଆକ୍ରମଣର ଶିକାର ହେବା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ନଗ୍ନ ନମୁନା ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି । ଏଭଳି ଦୁଃଖଦ ଘଟଣା କେବଳ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣା ନୁହେଁ , ବରଂ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ମୂଲ୍ୟବୋଧ ଓ ସ୍ପଷ୍ଟ ଜନମତ ଉପରେ ଯୋଜନାବଦ୍ଧ ଆକ୍ରମଣ ଏବଂ ଆମ ଦେଶ ଓ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥା ଉପରେ ଶକ୍ତ ଆଘାତ ବୋଲି ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଡବଲ ଇଞ୍ଜିନ ସରକାର ଅମଳରେ ଦିନକୁ ଦିନ ରାଜନୈତିକ ହିଂସା, ଅସହିଷ୍ଣୁତା,ଭିଡହିଂସା ବୃଦ୍ଧି ପାଉଥିବାବେଳେ ମୋହନ ସରକାର ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଓ ରାଜ୍ୟରେ ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ ସ୍ୱରୂପ ତୁରନ୍ତ ଘଟଣାରେ ଆରୋପିମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଧେଶ ଦେବାକୁ ଦାବି କରାଯାଇଛି। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଆଇନଶୃଙ୍ଖଳା ପରିସ୍ଥିତିରୁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ରକ୍ଷା କରିବାକୁ ଶାନ୍ତ ଓଡିଶା ମାଟିକୁ ଅଶାନ୍ତ କରିବାକୁ ଉଦ୍ୟମ କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫରୱାର୍ଡ ବ୍ଳକ ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ପରିସ୍ଥିତି ପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଫରୱାର୍ଡ ବ୍ଳକ ରାଜ୍ୟ କମିଟି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସ୍ପଷ୍ଟ କରିଛି।
(ରିପୋର୍ଟ- ସୁଶାନ୍ତ ପ୍ରଧାନ।)

Comments (0)
Add Comment