ବ୍ରହ୍ମପୁର,୧୭/୧୧(ପିପିଟି): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଉଜ୍ଜୟନି- ଓଁକାରେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ତୀର୍ଥ ଟ୍ରେନ ର ଉଦଘାଟନ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କରିବେ । ୫ ରାତି ଓ ୬ ଦିନ ଯାତ୍ରାର ସୁଖମୟ ହେଉ ବୋଲି ମା ତାରାତାରିଣୀଙ୍କ ନିକଟରେ ପାର୍ଥନା କରିଥିଲେ ଓ ତୀର୍ଥର ଆନନ୍ଦ ଉଠାଇ ଖୁସିରେ ଫେରନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ । ବ୍ରହ୍ମପୁର ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ କରାଯାଇଥିଲା । ଗଞ୍ଜାମ, ଗଜପତି,ବୌଦ୍ଧ,ନୟାଗଡ଼ ଓ କନ୍ଧମାଳର ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି । ଗଜପତି ଜିଲ୍ଲାରୁ ୭୨,ନୟାଗଡ଼ ରୁ ୧୧୯,କନ୍ଧମାଳରୁ ୯୧,ବୌଦ୍ଧ ରୁ ୫୫ ଓ ଗଞ୍ଜାମ ରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ବ୍ରହ୍ମପୁର ରେ ରବିବାର ରାତ୍ରି ରେ ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲରେ ସ୍ବାଗତ କରି ସେମାନଙ୍କର ରହଣି,ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ ,ଭୋଜନ ସନ୍ଧ୍ୟା ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଥିଲା ।
ଆଜିର ଏହି ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ,ଜଙ୍ଗଲ, ପରିବେଶ ଏଵଂ ଜଳବାୟୁ ପରିବର୍ତ୍ତନ ବିଭାଗ, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବାଣିଜ୍ୟ, ପରିବହନ,ଇସ୍ପାତ ଓ ଖଣିଜ ବିଭାଗ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,ବିଧାୟକ କବିସୂର୍ଯ୍ୟ ନଗର ପ୍ରତାପ ଚନ୍ଦ୍ର ନାୟକ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର,ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମଞ୍ଚାସୀନ ଥିଲେ । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇ ଆର ସି ଟି ସି ର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଛି । ଯୋଜନାର ସମ୍ପୂର୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟ dot.odisha.gov.in ରେ ଉପଲବ୍ଧ ।