ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ବୈଠକ ।

ଚଣ୍ଡିଖୋଲ,୨୬/୦୨(ପିପିଟି): ପାକ୍ଷିକ ସମ୍ବାଦପତ୍ର “ବିରଜା ଭୂମି” ପକ୍ଷରୁ ତ୍ରୈମାସିକ ଆଲୋଚନା ଚକ୍ର ସ୍ଥାନୀୟ ନର୍ସିଂ କଲେଜ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଡଃ ଅଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିରଜା ଭୂମିର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସଭାରେ ଉପସ୍ଥିତ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଅଞ୍ଚଳରେ ଦେଖା ଦେଇଥିବା ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ସମାଧାନ ପାଇଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବଡଚଣା ଗଣ୍ଠି ଛକ ନିକଟରେ ଥିବା ଦୁଇଟି ଶିକ୍ଷା ଅନୁଷ୍ଠାନ ଥିବାରୁ ସରକାରୀ ମଦ ଦୋକାନ ଅନ୍ୟତ୍ର ଉଠେଇନେବା,ଟୋଲ ଚାର୍ଜ ଫାଙ୍କିବାକୁ ଏହି ରାସ୍ତାରେ ଚଳାଚଳ କରୁଥିବା ବହୁ ଯାନବାହାନ ଚଳାଚଳକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା । ରୋଗଗ୍ରସ୍ଥ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଅଜିତ ପ୍ରସାଦ ମିଶ୍ର ଓ ସଭ୍ୟ ଦୈତାରୀ ରଣାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏତଦ୍ ଭିନ୍ନ ନିଶା ନିବାରଣ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରିବାକୁ ନିଷ୍ପତ୍ତି ନିଆଗଲା ।

ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ନାୟକ, ଅନନ୍ତ କିଶୋର ରାଉତ, ପ୍ରସନ୍ନ ମହାରଣା,ମାର୍କଣ୍ଡ ଓଝା, ପୁରୁଷୋତ୍ତମ ସାହୁ,ନିରଞ୍ଜନ ରାଉତ, ଅଚ୍ୟୁତାନନ୍ଦ ସାହୁ ପ୍ରମୂଖ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପରିଶେଷରେ ମାନବାଧିକାର ସଂଗଠନ ପକ୍ଷରୁ ଆଶୁତୋଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment