ବନ୍ୟା କ୍ଷୟକ୍ଷତିର ହିସାବ ମାଗିବ କଂଗ୍ରେସ, ବିଧାନସଭାରୁ ରାଜରାସ୍ତା ଯାଏଁ ଆନ୍ଦୋଳନ ଚେତାବନୀ ।

ଭୁବନେଶ୍ୱର, ୦୪/୧୧(ପିପିଟି): ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି, ରିଲିଫ୍ ବଣ୍ଟନ ଓ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ବାତ୍ୟା ଓ ବନ୍ୟା ମୁକାବିଲାରେ ସରକାରଙ୍କ ପ୍ରସ୍ତୁତି ଏବଂ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ହିସାବ ମାଗିଛି ଦଳ। ସରକାରଙ୍କ ଅପାରଗତା ଓ ଅବହେଳା ଯୋଗୁଁ ରାଜ୍ୟବାସୀଙ୍କୁ ବନ୍ୟା ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ବିଧାନସଭାଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଉଠାଇବା ସହ ସରକାରଙ୍କୁ ଜବାବ ଦେବାକୁ ବାଧ୍ୟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାତ୍ୟା ଓ ବନ୍ୟା ପୂର୍ବରୁ ସରକାର କେତେ ପ୍ରସ୍ତୁତି କରିଥିଲେ, ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା ଥିବା ସତ୍ତ୍ୱେ କାହିଁକି ଆବଶ୍ୟକ ପଦକ୍ଷେପ ନିଆଗଲା ନାହିଁ, ତାହାର ସ୍ପଷ୍ଟୀକରଣ ଦାବି କରିଛି କଂଗ୍ରେସ। ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୦୦ ମିଲିମିଟର ବର୍ଷା ହେବାର ପୂର୍ବାନୁମାନ ସରକାରଙ୍କ ପାଖରେ ଥିଲା କି ନାହିଁ ଏବଂ ଯଦି ଥିଲା, ତେବେ ଏହି ଦୁଇ ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଆଗଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ। ପୂର୍ବରୁ ହଇଜା ଏବଂ ଏବେ ବନ୍ୟାରେ ଲୋକଙ୍କ ଜୀବନହାନି ପାଇଁ ସରକାରଙ୍କ ଦାୟିତ୍ୱହୀନତାକୁ ସେ ଦାୟୀ କରିବା ସହ ରିଲିଫ୍ ବଣ୍ଟନରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ କରିଛନ୍ତି। ଭୂସ୍ଖଳନରେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ଏଯାଏଁ ଉଦ୍ଧାର ହୋଇନଥିବା ପ୍ରସଙ୍ଗ ମଧ୍ୟ ଉଠାଇଛି ଦଳ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ବନ୍ୟାରେ ରାଜ୍ୟର ୧୦ ଲକ୍ଷ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୭ଟି ବ୍ଲକ୍‌ର ୩୯୮ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଏତେ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ଚାଷୀଙ୍କୁ ମିଳୁଥିବା ସରକାରୀ ସହାୟତା ଯଥେଷ୍ଟ ନୁହେଁ ବୋଲି ଦଳ କହିଛି। ଅଢ଼େଇ ଏକର ଜମି ପାଇଁ ମାତ୍ର ୮ ହଜାର ୫୦୦ ଟଙ୍କା ସହାୟତା ପରିବର୍ତ୍ତେ ହେକ୍ଟର ପିଛା ୫୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପିସିସି ସଭାପତି ଦାବି କରିଛନ୍ତି। ଏଥିସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦାୟିତ୍ୱରେ ଥିବା ଯେଉଁ ଅଧିକାରୀମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ବନ୍ୟା ପରିଚାଳନାରେ ସରକାରଙ୍କ ଭୂମିକା, ପ୍ରଭାବିତ ଲୋକଙ୍କୁ ମିଳିଥିବା ସହାୟତା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ଆଗାମୀ ଦିନରେ ଦଳ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

Comments (0)
Add Comment