ବନ୍ଧାହେବେ ଜାଲ୍ ଶିକ୍ଷକ, ମାମଲା ରୁଜୁ ପରେ ଫେରାର ଅଛନ୍ତି ପାଞ୍ଚ ଜାଲ୍ ଶିକ୍ଷକ ।

କୋଦଳା,୨୯/୦୧(ପିପିଟି); ବେଗୁନିଆପଡା ବ୍ଲକ ଶିକ୍ଷା ବିଭାଗରେ ମାଳମାଳ ଜାଲ ଶିକ୍ଷକ ଥିବାନେଇ ଅଭିଯୋଗ ହେଉଥିବା ବେଳେ ପୂର୍ବରୁ ଦୁଇ ଜଣଙ୍କ ନାମରେ ଏତଲା ହୋଇ ସେମାନେ ଆଗୁଆ ଜାମିନ ନେଇ ଫେରିଥିବା ବେଳେ ବର୍ତ୍ତମାନ ପୁଣି ୫ ଜଣ ଜାଲ୍ ଶିକ୍ଷକ ନାମରେ କୋଦଳା ଥାନାରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ଶିକ୍ଷାଅନୁଷ୍ଠାନ ଭଳି ମହତ ଅନୁଷ୍ଠାନ ରେ ପିଲାଙ୍କ ଭବିଷ୍ୟତ ତିଆରି ହେଉଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଜାଲ ଡିଗ୍ରୀ ସାର୍ଟିଫିକେଟ ଧରି ଶିକ୍ଷକତା କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାକୁ ନେଇ ବେଗୁନିଆପଡା ଶିକ୍ଷା ବିଭାଗକୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ସୂଚନା ଅଧିକାର ଆଇନ ବଳରେ ୩୭ ଶିକ୍ଷକ /ଶିକ୍ଷୟତ୍ରୀଙ୍କ ତଥ୍ୟ ମାଗିଥିଲେ । ଘୋଡାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୈତାରୀ ବେହେରା ଚାକିରୀରୁ ଇସ୍ତଫା ଦେଇଛନ୍ତି ,ପୂର୍ବରୁ ଫାସି ପଞ୍ଚାୟତ ଲାଠୁଳି ୟୁପି ସ୍କୁଲ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଓ ମଙ୍ଗଳପୁର ୟୁପି ସ୍କୁଲ ଶିକ୍ଷକ ପରମାନଦ ସାହୁଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିଲା । ସେମାନେ କିଛିଦିନ ଫେରାର ରହି ଆଗୁଆ ଜାମିନ ନେଇ ଫେରିଥିଲେ ।ସେତେବେଳେ ଆଉ କେହି ନଥିବା ଶିକ୍ଷା ବିଭାଗ କହିବା ପରେ ସାଧାରଣ ଜନତାଙ୍କ ମଧ୍ୟ ରେ ଆଲୋଚନା ହୋଇଥିଲା । ଏହାକୁ ନେଇ ପୁଣି ସମରଜିତ୍ ବିଭିନ୍ନ ସମୟରେ ସରକାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ଏବଂ ଏହାକୁ ଶିକ୍ଷା ବିଭାଗ ଘଣ୍ଟ ଘୋଡାଉଥିବା ନେଇ ଅଭିଯୋଗ କରିଥିଲେ । ସେହି ଆଧାର ରେ ବର୍ତ୍ତମାନ କୋଦଳା ଥାନାରେ ବେଗୁନିଆପଡା ବିଇଓ କମଳାକାନ୍ତ ସାହୁ ୫ଜଣ ଜାଲ ଶିକ୍ଷକ ନାମରେ ଏତଲା ଦେଇଥିବା ଜଣାଇଛନ୍ତି । ଏତଲାକୁ ଆଧାର କରି କୋଦଳା ଥାନା ପକ୍ଷରୁ ଚନ୍ଦନପୁର ପଞ୍ଚାୟତ ତୋଟାପଡା ଅପର ପ୍ରାଇମେର ସ୍କୁଲ ପ୍ରଧାନଶିକ୍ଷକ ପ୍ରଭାକର ଦାସ, ଫାସି ପଞ୍ଚାୟତ ବିଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତୋଫାନ ସ୍ୱାଇଁ,କେ.ବରିଡା ୟୁପି ସ୍କୁଲ ଶିକ୍ଷକ ପ୍ରହଲ୍ଲାଦ ରାଉତ, ଏ. ସାଳବଣ ୟୁପି ସ୍କୁଲର ଶିକ୍ଷକ ସମରଜିତ୍ ସେଠୀ, ଏବଂ ସଂକୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ନାମ ରେ ପୃଥକ ପୃଥକ ଭାବେ ୧୧,୧୨,୧୩,୧୪,୧୫/୧୪-ଜାନୁଆରୀ ୨୦୨୧ ରେ ମାମଲା ରୁଜୁ କରାଯାଇଛି ଏବଂ ବର୍ତ୍ତମାନ ସେମାନେ ଫେରାର ଅଛନ୍ତି ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି ।କିନ୍ତୁ ବର୍ତ୍ତମାନ ମଧ୍ୟ ସଠିକ ତଥ୍ୟ ଅନୁଯାଇ ସାର୍ଟିଫିକେଟ ଜାଞ୍ଚ କରାଯାଇ ନାହିଁ ଯଦି ଠିକ୍ ତଦନ୍ତ କରାଯିବ ଆହୁରି ଅନେକ ଶିକ୍ଷକ /ଶିକ୍ଷୟତ୍ରୀ ଜେଲ ଯିବା ଥୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ପୂର୍ବରୁ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହେବାପରେ ଶିକ୍ଷା ବିଭାଗ ଆଉ କେହି ଜାଲ ନାହାଁନ୍ତି ବୋଲି କହିଥିବା ବେଳେ ବର୍ତ୍ତମାନ ପୁଣି କେମିତି ୫ ଜାଲ ଶିକ୍ଷକ ବାହାରିଲେ ବୋଲି କହିବା ସହିତ ଆହୁରି ଅନେକଙ୍କୁ ଘଣ୍ଟଘୋଡ଼ାଯାଇଛି ଏହାର ସଠିକ ତଦନ୍ତ କରନ୍ତୁ ନଚେତ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନିଆଯିବ ବୋଲି ସାମାଜିକ କର୍ମୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment