ବନ୍ଧକ ଶ୍ରମ ଓ ମାନବ ଚାଲାଣ ନିରାକରଣ ସମନ୍ୱୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଯାଜପୁର ,୧୨/୦୯(ପିପିଟି):ଗତ ୧୦ତାରିଖରେ ଯାଜପୁର ଜିଲ୍ଲା ପରିଷଦ ପକ୍ଷରୁ ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ମିଶନ୍ ଏବଂ ସାମାଜିକ ସଂଗଠନ ଉତ୍କଳ ସେବକ ସମାଜ ର ସହଯୋଗରେ “ବନ୍ଧୁଆ ଶ୍ରମ ଓ ମାନବ ଚାଲାଣ ନିରାକରଣ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ପାଇଁ ଏକଦିବସୀୟ ସମନ୍ୱୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲାବେଳେ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ,ପିଏମଏସଡି ଶ୍ରୀମତୀ ମଧୁମିତା ପୃଷ୍ଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଇ.ଜେ.ଏମ ର ରାଜ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ଜୟନ୍ତ ନାଗ ମାନବ ଚାଲାଣର ବିଭିନ୍ନ ଦିଗ, ଏହାର ପୃଷ୍ଠଭୂମି, ବର୍ତ୍ତମାନର ପରିସ୍ଥିତି, ବନ୍ଧକ ଶ୍ରମ ପ୍ରଥା (ଉଚ୍ଛେଦ) ଅଧିନିୟମ, ୧୯୭୬ ଏବଂ ଏହାର ଆଇନଗତ ବ୍ୟବସ୍ଥା ସହ ବିଭିନ୍ନ ସରକାରୀ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ ଏହି ସମସ୍ୟା ର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ କାମନା କରିବା ସହ ଏହି ସମ୍ବେଦନଶୀଳ ବିଷୟ ପ୍ରତି ଅଂଶ ଗ୍ରହଣ କାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇ.ଜେ.ଏମ ର ଆଇନ ପରାମର୍ଶଦାତା ଶ୍ରୀ ଅମିତ ନାଗ ବନ୍ଧକ ଶ୍ରମ ସମସ୍ୟାର ସମାଧାନ ଦିଗରେ କ୍ଷେତ୍ରସ୍ତରରେ ଦେଖାଦେଉଥିବା ବାସ୍ତବ ସମସ୍ୟା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଶିଶୁ ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ଥିବା ଶିଶୁମାନଙ୍କ (Children in Need of Care and Protection) ସମ୍ପର୍କରେ ଏବଂ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମର ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମର ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ସଭାପତି ଶ୍ରୀ ଦେବୀ ପ୍ରସାଦ ମହାନ୍ତି ବନ୍ଧକ ଶ୍ରମରୁ ଉଦ୍ଧାର ପାଇଥିବା ୮ ଜଣ ପୀଡ଼ିତଙ୍କ ପରିବାରକୁ ଜୀବିକା ଉନ୍ନୟନ ପାଇଁ ପ୍ରାରମ୍ଭିକ ଆର୍ଥିକ ସହାୟତା ବାବଦକୁ ପ୍ରତ୍ୟେକଙ୍କୁ ୪୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରି ମୁଖ୍ୟସ୍ରୋତକୁ ଆଣିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ , ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ, ପୁଲିସ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ବିଭିନ୍ନ ବ୍ଲକ୍ ସ୍ତରୀୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବକ୍ତାମାନେ ବନ୍ଧକ ଶ୍ରମ ଓ ମାନବ ଚାଲାଣ ଭଳି ସଙ୍ଗୀନ ସାମାଜିକ ଅପରାଧର ପ୍ରଭାବଶାଳୀ ନିରାକରଣ ପାଇଁ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ପଦକ୍ଷେପ ଏବଂ ପୀଡ଼ିତମାନଙ୍କ ପୁନର୍ବାସ ଓ ଜୀବିକା ସୁଦୃଢ଼ୀକରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଉତ୍କଳ ସେବକ ସମାଜର ନିର୍ଦ୍ଦେଶକ ଇଂ ଅନ୍ୱୟ ଅଭିନବ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ପୁଷ୍ପିତା ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀମତୀ ମଧୁମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment