ଭଞ୍ଜନଗର,୨୫/୦୫(ପିପିଟି); ଦ୍ରୁତ କୋଭିଡ଼ ସଂକ୍ରମଣ କୁ ବ୍ରେକ ଦେବା ପାଇଁ ସରକାର ଲକ ଡାଉନ, ସଟ ଡାଉନ ଜାରୀ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ କେବଳ ଧାର୍ଯ୍ୟ ସମୟ ମଧ୍ୟରେ ଖୋଲା ରଖିବା ପାଇଁ ଅନୁମତି ଥିବା ବେଳେ ଅନ୍ୟ ଦୋକାନ ଗୁଡିକ ସମେତ ମଦ ଦୋକାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। ଏହାର ସୁଯୋଗରେ ବହୁ ଅସାଧୁ ଓ ଚୋରା ମଦ ବ୍ୟବସାୟୀ ମାନେ ଅଧିକ ଲାଭ ପାଇବା ଆଶାରେ ବ୍ୟାପକ ଚୋରା ମଦ କାରବାର କରୁଥିବା ଦେଖିବାକୁ ମିଳିଛି। ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ବନ୍ଦ ରେଷ୍ଟୁରାଣ୍ଟ ରେ ଦୀର୍ଘ ଦିନ ଧରି ଏଭଳି କାରବାର ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ତହସିଲଦାର ଆଲୋକ କୁମାର ପ୍ରଧାନ ଏବଂ ନୂତନ ଭାବେ ଯୋଗ ଦେଇଥିବା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ମିଳିତ ଭାବେ ସଦଳବଳେ ଉକ୍ତ ରେଷ୍ଟୁରାଣ୍ଟ ଉପରେ ଅତର୍କିତ ଭାବେ ଚଢାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ବିୟର ଏବଂ ବିଦେଶୀ ମଦ ଜବତ କରାଯାଇଛି।ଦୋକାନ ଟିକୁ ଏନ.ଏ.ସି ତରଫରୁ ସିଲ କରାଯାଇଥିବା ବେଳେ ଜବତ ମଦ ଗୁଡିକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି। ଭଞ୍ଜନଗର ଅବକାରୀ ଇନିସ୍ପେକ୍ଟର ପାର୍ଥ ସାରଥୀ ରାଉତ ଙ୍କ କହିବା ଅନୁଯାୟୀ ଜବତ ହେଇଥିବା ମଦ ମଧ୍ୟରେ ୪୨ଲିଟର ବିୟର ଏବଂ ୨୧ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ରହିଛ। ଏହି କାରବାରରେ ସମୃକ୍ତ ଥିବା ବ୍ୟବସାୟୀକୁ ଗିରଫ କରାଯାଇଛି। ଯେଉଁମାନେ ଏଭଳି ଚୋରା କାରବାର ରେ ଲିପ୍ତ ଥିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )