ମାଲକାନଗିରି, ୦୭/୧୧(ପିପିଟି):ବନ୍ଦେ ମାତରଂ ରାଷ୍ଟ୍ରୀୟ ଗାନର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ସାମୂହିକ ସଙ୍ଗୀତ ଗାନ କରାଯାଇଛି। ବନ୍ଦେ ମାତରଂ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ର ପ୍ରତି ସମର୍ପଣ ଭାବର ପ୍ରତୀକ। ଆଜି ଆମେ ସମସ୍ତେ ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରଂ କୁ ସାମୁହିକ ଭାବେ ଗାନ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ ହୋଇପାରିଛି । ବିଶେଷ କରି ଛୋଟ ଛୋଟ ପିଲା, ଛାତ୍ର ଓ ଯୁବକ ମାନଙ୍କ ଉପରେ ଏହାର ଖୁବ୍ ପ୍ରଭାବ ରହିବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ଏହି ଅବସରରେ ମତ ପ୍ରକାଶ କରିଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲାଇଭ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବନ୍ଦେ ମାତରଂ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା ।
ସେହିପରି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ସମସ୍ତ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ସାମୂହିକ ବନ୍ଦେ ମାତରଂ ସଙ୍ଗୀତ ଗାନ କରାଯାଇଛି। ଏହି ସଂଗୀତ ବିଭିନ୍ନ ବର୍ଗର , ବିଭିନ୍ନ ଜାତିର ଏବଂ ବିଭିନ୍ନ ଧର୍ମର ଲୋକମାନଙ୍କୁ ଏକତ୍ରିତ କରାଇ ନିଜ ଭିତରେ ଏକ ଦେଶାତ୍ମକ ବୋଧ ଭାବନାକୁ ଉଦ୍ରେକ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଆଜିର ଯୁବ ସମାଜ ମନରେ ଏହି ଭାବନା ଆସ୍ତେ ଆସ୍ତେ ଦୂରେଇ ଯାଉଛି । ଏହି ବନ୍ଦେ ମାତରଂ ଜାତୀୟ ବୋଧ ସଙ୍ଗୀତ ଗାନ କରିବା ଦ୍ୱାରା ଯେଉଁ ଲୋମହର୍ଷଣକାରୀ ପଦ ଏଥିରେ ବ୍ୟବହାର ହୋଇଛି , ପ୍ରକୃତରେ ତାହା ସେମାନଙ୍କ ମନରେ ଲୁପ୍ତ ପାଇ ଯାଉଥିବା ଜାତୀୟତା ଭାବନାକୁ ନିଶ୍ଚିତ ଭାବେ ଉଦ୍ରେକ କରିବ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସମସ୍ତ ପୋଲିସ୍ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)