ଭଞ୍ଜନଗର,୨୪/୦୩(ପିପିଟି); ଦିନକୁ ଦିନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ବଣ ଜଙ୍ଗଲ ପୋଡି ନଷ୍ଟ ହେବାସହ ଏଥିରେ ବହୁ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡ଼ି ପ୍ରାଣ ହରାଉଛନ୍ତି। ଏହା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ରୋକିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ଓ କେନ୍ଦ୍ରୀୟ ବନାଞ୍ଚଳର ମିଳିତ ସହଯୋଗରେ ନିକଟସ୍ଥ ଶାଳୁଆପଲ୍ଲୀ ନର୍ସରୀ ଠାରେ ବୁଧବାର ବନାଗ୍ନି ପ୍ରଶମନ ଓ ନିୟନ୍ତ୍ରଣ ଦକ୍ଷତା ବୃଦ୍ଧି ସକାଶେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ପୂର୍ବତନ କୃଷି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ,ସମ୍ନାନିତ ଅତିଥି ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ,ରେଡ଼କ୍ରସ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ,ଅବସରପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ,ଅବସରପ୍ରାପ୍ତ ବନ କର୍ମଚାରୀ ଗୋକୁଳ ଚନ୍ଦ୍ର ଶତପଥି,ସମାଜସେବୀ ଶୂଳପାଣି ଶତପଥି , ଏସିଏଫ ସୁଦର୍ଶନ ବାଦୀ ମଞ୍ଚାସିନ ହୋଇ ନିଜ ମତାମତ ଦେଇଥିଲେ। ଏସିଏଫ ଶ୍ରୀ ବାଦୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଦୁଇ ବନାଞ୍ଚଳର ପ୍ରାୟ ୨୦ଟି ବନ ସୁରକ୍ଷା ସମିତିର ସଦସ୍ୟମାନେ ଶିବିରରେ ଅଂଶ ଗ୍ରହଣ କରିଥିଲେ ।ଉତ୍ତର ଘୁମୁସର ବନଖଣ୍ଡ ର ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ତାହାର ସୁରକ୍ଷା ଓ ବନ ସୁରକ୍ଷା ସମିତିର ଦାୟୀତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବାକୁ ହେଲେ ବନ ସୁରକ୍ଷା ସମିତି ଓ ବନ ବିଭାଗର ମିଳିତ ସହଯୋଗ ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। ଏଥିରେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ରେଞ୍ଜର କୁମର ବେହେରା,କାଳିଆମ୍ବା ବନପାଳ ଶରତ ଚନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ ବନପାଳ, ବନରକ୍ଷୀ ଓ ସ୍କ୍ୱାର୍ଡ କର୍ମଚାରୀ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )