***ବଦଳିଲା ଗାଁ ମୋର***

ମୋ ଗାଁ ରେ ନାହିଁ ମାଟି ରାସ୍ତା ଆଉ
ବର୍ଷା ଦିନେ ପାଦ-କାଦ…
ପକ୍କା ସଡକରେ ଯାତାୟାତ ଆଜି
ଗାଡି ମଟର ର ଶବ୍ଦ….!!
ଗାଁ ରେ ବିଜୁଳି ରାତି ଲାଗେ ଦିନ
ନାହିଁ କିରୋସିନି ବତୀ….
ଖରା ଦିନେ ଫ୍ୟାନ୍ ଘୂରେ ରାତି ଦିନ
ହୃଦୟେ ଲଭନ୍ତି ଶାନ୍ତି….!!
ମୋ ଗାଁ ରେ ନାହିଁ ଶଗଡ ବଳଦ
କଳ ଲଙ୍ଗଳରେ ଚାଷ…..
ଜଳସେଚନର ସୁବିଧା ହେଲାଣି
ସବୁଜ ଫସଲ ଦୃଶ୍ୟ…..!!
ମୋ ଗାଁ ରେ ସ୍କୁଲ କଲେଜ ହେଲାଣି
ଶିକ୍ଷାର ସୁବିଧା ଯେତେ….
ମଧ୍ୟାହ୍ନ ଭୋଜନ ମିଳେ ମାଗଣାରେ
ପୁସ୍ତକ ପୋଷାକ କେତେ….!!
ଗାଁ ରେ ଅଦୃଶ୍ୟ ଝାଟି ମାଟି ଘର
ଗରିବ ପାଖରେ କୋଠା….
ଗରିବ ପାଇଁଁ ତ ସରକାର ଅଛି
ମଗଣା ଚାଉଳ ବଣ୍ଟା….!!
ବୁଢାବୁଢି ଯେତେ ଭତ୍ତା ପାଉଛନ୍ତି
ମାଗଣା ଚିିିକିତ୍ସା ଆଦି…..
ଜନମ ମରଣ ଯୋଜନାରେ ବନ୍ଧା
ଏକକୁ ଆରେକ ଛନ୍ଦି…..!!
ଝାଡ ଫୁଙ୍କ ଗୁଣି ଗାରେଡ଼ି କଥାରେ
କାହାର ଭରସା ନାହିଁ…..
ଅନ୍ଧ ବିଶ୍ବାସଟା ଗଲାଣି ଦୂରେଇ
ନିର୍ବୋଧତା ଆଉ କାହିଁ….?
ଘରେ ଘରେ ଟିଭି ମୋବାଇଲ ହାତେ
ସଂପର୍କ ସୁଦୃଢ ଏକେ…..
ଯେତେ ଦୂରେଇ ଥିଲେ ଆପଣା ମଣିଷ
କଥା ହେଉ ମୁହୂର୍ତ୍ତକେ…..!!
ପଲ୍ଲୀ ରୁ ସହର ସହରରୁ ପଲ୍ଲୀ
ଯାତାୟାତ ନୁହେଁ ଦୂର…..
ବସ୍ ଯାଉଛି ପ୍ରତି କ୍ଷଣେ କ୍ଷଣେ
ନାହିଁ କିଛି ହରବର….!!
ଘରେ ଘରେ ନଳ କୂପ ଓ ପାଇପ୍
ଯୋଗାଏ ପାନୀୟ ଜଳ….
ବନ୍ଧ ଗଡିଆର ଦୂଷିତ ଜଳକୁ
ତେଜିଲେ ଜନ ସକଳ…..!!
ଗାଁ ଆଜି ଦେଖ ଯାଇଛି ବଦଳି
ପୂରିଛି ସୁଖ ସମୃଦ୍ଧି……
ବିଜ୍ଞାନ ଅଜ୍ଞାନ ଅନ୍ଧକାର ଯେତେ
ହଟୁଅଛି ନିରବଧି…..!!
ମହିଳା ସମାଜ ହେଲେଣି ଅଗ୍ରଣୀ
ସବୁ କର୍ମେ ତତପର…..
ପୁରୁଷ ପ୍ରାଧାନ୍ୟ ପରିବାର ସତ୍ତା
ଧୀରେ ଧୀରେ ହୁଏ ଦୂର…..!!
ଆଧୁନିକ ଆଜି ହେଲାଣି ପ୍ରବେଶ
ପ୍ରାଚୀନ ଗଲାଣି ଛାଡି….
ଏ ଗାଁ ର ଚିତ୍ର ଗଲାଣି ବଦଳି
ପ୍ରଗତିର ରଥ ଗଡି…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment