ବଣ୍ଡା ମହିଳାମାନଙ୍କୁ ଓରମାସ ତରଫରୁ ପ୍ରଶିକ୍ଷଣ ।

ମାଲକାନଗିରି,୨୦/୦୭(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ପଞ୍ଚାୟତର ବଣ୍ଡା ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ପାଇଁ ଓରମାସ ଏବଂ ମାଲକାନଗିରି ଜିଲ୍ଲା ପ୍ରଶାସନର ମିଳିତ ଉଦ୍ଯମରେ ଫୁଲ ଝାଡୁ ନିର୍ମାଣ ଏବଂ ପଣସ ଚିପ୍ସ ପ୍ରସ୍ତୁତ କରିବା ଲାଗି ପ୍ରଶିକ୍ଷଣ ପ୍ରଦାନ କରା ଯାଇଛି। ପ୍ରାୟ ୫୦ ଜଣ ବଣ୍ଡା ଜନଜାତି ମହିଳାମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତି କରିବା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିର ଝାଡୁ ଓ ପଣସ ଚିପ୍ସ ଓଡିଶାର ବିଭିନ୍ନ ବଜାରରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ବାନ୍ଧିଛି । ଖଇରପୁଟ ବ୍ଲକ ଅଣ୍ଡରାହାଲ ପଞ୍ଚାୟତର ଡୁମୁରିପଡ଼ା ଠାରେ ବଣ୍ଡା ମହିଳାଙ୍କୁ ଝାଡୁ ତିଆରି ଓ ପଣସ ଚିପ୍ସ ପ୍ରସ୍ତୁତି ଉପରେ ତାଲିମ ଦିଆଯାଇଥିଲା ବେଳେ ଏ ବାବଦରେ ଅନ୍ଯାନ ସାମଗ୍ରୀ ତ୍ରୟ ବାବଦରେ ୩ ଲକ୍ଷ ୪୦ ହଜାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆ ଯାଇଛି। ଏଠାରେ ବଣ୍ଡା ମହିଳାମାନଙ୍କୁ ନେଇ ଝାଡୁ ଉତ୍ପାଦକ ଗୋଷ୍ଠୀ ଗଠନ କରା ଯାଇଛି । ଝାଡୁ ତିଆରି ପାଇଁ ପାଇପ ଓ ବ୍ୟବସାୟୀକରଣ ସାଙ୍ଗକୁ ପଣସ ଚିପ୍ସ ର ପ୍ୟାକିଙ୍ଗ ବ୍ୟବସ୍ଥା ଓରମାସ କରିବ ବୋଲି ଓରମାସର ଡେପୁଟି କାର୍ଯ୍ୟନିର୍ବାହୀ ରୋଶନ କୁମାର କାର୍ତ୍ତିକ ପ୍ରକାଶ କରିଛନ୍ତି । ଫଳରେ ବଣ୍ଡା ମହିଳାମାନେ ରୋଜଗାର କ୍ଷମ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ଲାଭ କରି ପାରିବେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment