କବିସୂର୍ଯ୍ଯ ନଗର,୨୭/୦୯(ପିପିଟି) ; ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ଗ୍ରାମ ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି । ୟୁରିୟା ସାର ବ୍ୟାପକ କଳାବଜାର କରି ଚାଷୀଙ୍କୁ ସାର ମାତ୍ରାଧିକ ମୂଲ୍ୟରେ ବିକ୍ରୟ କରିଛନ୍ତି । ସରକାରଙ୍କ ବସ୍ତା ପିଛା ଧାର୍ଯ୍ୟ କରିଥିବା ଦର ୨୬୬.୫୦ପଇସା ଥିବା ବେଳେ ମାତ୍ରାଧିକ ୩୦୦ଟଙ୍କା ବସ୍ତା ପିଛା ବିକ୍ରୟ କରି ୩୩.୫୦ ପଇସା ପ୍ରତି ବସ୍ତାରେ ହଡପ୍ କରାଯାଇଛି । ଚାଷୀମାନେ ପ୍ରତିବାଦ କରି ରାଜରାସ୍ତା ଅବରୋଧ କରିବାପରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ଦେଇଥିଲେ ଯେ ବସ୍ତା ପିଛା ହଡ଼ପ୍ କରିଥିବା ୩୩.୫୦ପଇସା ଚାଷୀଙ୍କୁ ଫେରସ୍ତ କରାଯିବ,କିନ୍ତୁ ଏବେ ପର୍ଯ୍ୟନ୍ତ ଚାଷୀଙ୍କୁ ହଡପ୍ କରାଯାଇଥିବା ଟଙ୍କା ଫେରସ୍ତ କରାଗଲା ନାହିଁ । ବଡମହୁରୀ ସେବା ସମବାୟ ସମିତି କାର୍ଯ୍ୟାଳୟର ସଭାପତି,ଟି.ବ୍ରଜେନ୍ଦ୍ର ପ୍ରଧାନ ଏବଂ ସମ୍ପାଦକ ଲକ୍ଷ୍ମୀ ଗୌଡ଼ ସାର କଳାବଜାର କରି ଅର୍ଥ ହଡପ୍ କରିବା ସହିତ ଚାଷୀଙ୍କୁ ସାର ନ ଯୋଗାଇ ଚଢାଦରରେ ବ୍ୟବସାୟୀଙ୍କୁ ୟୁରିୟା ସାର ଯୋଗାଇଛନ୍ତି । ଗରିବ କୃଷକ ମାନଙ୍କୁ ସାର ଦେବାବଦଳରେ ସଭାପତି ଟି.ବ୍ରଜେନ୍ଦ୍ର ପ୍ରଧାନ ଏବଂ ସମ୍ପାଦକ ଲକ୍ଷ୍ମୀ ଗୌଡ଼ ବ୍ୟବସାୟୀଙ୍କୁ ବିକ୍ରୟ କରୁଛନ୍ତି । ସେବା ସମବାୟ ସମିତିର ଧାନ ମଣ୍ଡିଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନିୟମିତତା ହୋଇଥିବା ଏବଂ ରାଜନୈତିକ ଉଦ୍ଦେଶ୍ୟରଖି ଚାଷୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଦୁର୍ନୀତି କାର୍ଯ୍ୟକରୁଥିବା ସଭାପତି ଟି.ବ୍ରଜେନ୍ଦ୍ର ପ୍ରଧାନ ଏବଂ ସମ୍ପାଦକ ଲକ୍ଷ୍ମୀ ଗୌଡ଼ଙ୍କ ବିରୁଦ୍ଧରେ ତଦନ୍ତକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାପାଳ,ଉପ କୃଷି ନିର୍ଦ୍ଦେଶକ,ଗଞ୍ଜାମ ମଣ୍ଡଳ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଟି.ଭାରତୀ ପ୍ରଧାନ ଓ ଗ୍ରାମ ବାସୀ ଲିଖିତ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଏଠାରେ ଅକାମୀ ହୋଇ ପଡିଛି । ତଦନ୍ତ ଶୀତଳର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅସନ୍ତୋଷର ପ୍ରଭାବ ଅନୁଭୂତ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।