ବଡ଼ ଭାଇର ଗୁଳି ମାଡରେ ସାନ ଭାଇ ଗୁରୁତର ।

ଭଞ୍ଜନଗର,୦୪/୦୬(ପିପିଟି); ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ହାତୀ ଗୁଡ଼ା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଦୁଇ ଭାଇ ମଧ୍ୟରେ ଘଟିଛି ଗୁଳିକାଣ୍ଡ।ଏଥିରେ ସାନଭାଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ବଡ଼ ଭାଇ ଦେବେନ୍ଦ୍ର ମଳିକ ଓ ସାନ ଭାଇ ନରେନ୍ଦ୍ର ମଳିକ(୩୫)। ଦୁଇ ଭାଇଙ୍କର ଅଧିକାଂଶ ସମୟରେ ବିଭନ୍ନ କାରଣକୁ ନେଇ କଥା କଟାକଟି ହେଉଥିଲା। ଗତକାଲି ରାତି ୧୧ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ଦୁଇଭାଇ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ପରେ ତାହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଶେଷରେ ବଡ଼ ଭାଇ ଦେବେନ୍ଦ୍ର ମଳିକ ରାଗିଯାଇ ଘରେ ଥିବା ଏକ ଦେଶୀ ବନ୍ଧୁକରୁ ସାନଭାଇ ନରେନ୍ଦ୍ର ଉପରକୁ ଗୁଳି ମାଡ଼ କରିଥିଲା। ଫଳରେ ନରେନ୍ଦ୍ର ଗୁରୁତର ଅବସ୍ଥାରେ ତଳେ ପଡି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତାରସିଙ୍ଗି ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନରେନ୍ଦ୍ରକୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲକୁ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ। ପୋଲିସ ଦେବେନ୍ଦ୍ରକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment