ଯାଜପୁର,୨୫/୦୪(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡମଙ୍ଗଳପୁର ଗ୍ରାମର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର ପରିସରରେ ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ଅଣାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। କଳସ ଯାତ୍ରା ଯିବା ସମୟରେ ଗ୍ରାମବାସୀ ମାନେ ରାସ୍ତାରେ ନୂତନ ଶାଢ଼ୀ ବିଛାଇ ସ୍ୱାଗତ କରିବା ବେଶ ଭାବବିହ୍ଵଳ ପରିବେଶ ସୃଷ୍ଟି କରିଥିଲା । ପରେ ଘଟ ସ୍ଥାପନା କରାଯାଇ ସୂର୍ଯ୍ୟ ପୂଜା, ଗୋ ପୂଜା, ଯଜ୍ଞକାର୍ଯ୍ୟ ଆଦି ରୀତିନୀତି ଅନୁଯାୟୀ ଆରମ୍ଭ କରାଯାଇଥିଲା। ପଣ୍ଡିତ ବିଜୟ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବ୍ରାହ୍ମଣ ପଣ୍ଡିତ ମାନେ ଉପସ୍ଥିତ ଯଜ୍ଞ କାର୍ଯ୍ୟ ସଞ୍ଚାଳନ କରିଥିଲେ। ଏହି ଅବସରରେ ମା’ଙ୍କର ମହାସ୍ନାନ କରାଯିବା ସହ ଷୋଡ଼ଶ ଉପଚାରରେ ପୂଜା କରାଯାଇଥିଲା। ଯାହାକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ମା’ଙ୍କୁ ଦର୍ଶନ କରିବା ପାଇଁ ବଡ଼ମଙ୍ଗଳପୁର ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମରୁ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତିରେ ଯଜ୍ଞ କାର୍ଯ୍ୟ ସମାପନ ସହ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏଥିରେ ବଡ଼ମଙ୍ଗଳପୁର ଗ୍ରାମର ଆବାଳବୃଦ୍ଧବନୀତା ସାମିଲ ହେବା ସହ ଯୁବକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।