ବଡଧରଣର ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ : ୨୦ ଜଣ ଗିରଫ ସହ ଲକ୍ଷାଧିକ ଟଙ୍କା ଜବତ ।

ଦିଗପହଣ୍ଡି,୨୦/୧୦(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ଖମ୍ବାରି ଗାଁ ପଞ୍ଚାୟତ ଅଧିନସ୍ଥ ଗୋଲୁଣ୍ଡା ଗ୍ରାମରୁ ଏକ ବଡଧରଣର ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ପୋଲିସ ମାମଲାରେ ୨୦ ଜଣକୁ ଗିରଫ କରିଥିବା ବେଳେ ନଗଦ ୧ ଲକ୍ଷ ୨୧ ହଜାର ୪ ଶହ ଟଙ୍କା ସମେତ ୩ ଟି ତାସ ଓ ୨୦ ରୁ ଉର୍ଦ୍ଧ୍ବ ମୋବାଇଲ ଜବତ କରିଥିବା ସୂଚନା ମିଳିଛି । ଖବର ଅନୁସାରେ ଆଶ୍ବୀନ ମାସ ପହିଲା ଠାରୁ ଆରମ୍ଭ କରି କୁଆଁର ପୂର୍ଣ୍ଣିମା ପର୍ଯ୍ୟନ୍ତ ଗ୍ରାମ ଠାରୁ ଆରମ୍ଭ କରି ସହରାଞ୍ଚଳ ଲୋକମାନେ ଜୁଆଖେଳକୁ ପାର୍ବଣ ପର୍ବ ଭାବେ ପାଳି ଆସୁଥାନ୍ତି । ଏଥିପାଇଁ ସାଧାରଣତଃ ଲୋକମାନେ ପୋଲିସକୁ ବେଖାତିର କରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଲୁଚାଛପା ଭାବେ ଜୁଆଖେଳ ପସରା ବାଢିଥାନ୍ତି । ତେବେ ପୋଲିସ ବିଭିନ୍ନ ସମୟରେ ଜୁଆଡି ଓ ମଦ୍ଯପ ଯୁବକଙ୍କୁ ସାବାଡ କରିବା ପାଇଁ ରାତ୍ରି କାଳୀନ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରି ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମରେ ଖୁଲମଖୁଲା ଜୁଆଖେଳ ଚାଲିଥିବା ପୋଲିସ ବିଶେଷ ସୁତ୍ରରୁ ଖବରପାଇ ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ କୈାଶଳକ୍ରମେ ଚଢ଼ାଉ କରିଥିଲେ । ପୋଲିସର ଏଭଳି ଚଢ଼ାଉରେ ୨୦ ଜଣ ଫସି ରହିଥିବା ବେଳେ ଅନ୍ୟ କେତେକ ଖସି ପଳାଇଥିବା ଜଣାପଡିଛି । ଏନେଇ ଦିଗପହଣ୍ଡି ଥାନା କେସ ନଂ ୨୭୩/୨୧ ଅନୁସାରେ ସମସ୍ତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment