ମାଲକାନଗିରି,୧୩/୦୯(ପିପିଟି): କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ସୁଧାକୁଣ୍ଡା ଗ୍ରାମ ମାଛଗେଟି ପାହାଡ ନିକଟରେ ଶନିବାର ଅପରାହ୍ନ ୫ ଘଟିକା ସମୟରେ ବଜ୍ରପାତ ହେତୁ ଗଛ ମୂଳରେ ଆଶ୍ରୟ ନେଇଥିବା ୧୩ଟି ଗାଈର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହି ବ୍ଯତୀତ ଗାଈଗୋରୁ ଚରାଇବାକୁ ଯାଇଥିବା ୩ ଜଣ ବାଳକ ବଜ୍ରପାତ ବଜ୍ରାଘାତରେ ସାମାନ୍ୟ ଆହାତ ହୋଇ ଥିଲା ବେଳେ ସେମାନଙ୍କୁ କାଲିମେଳା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଘରକୁ ପଠାଇ ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଶନିବାର ସକାଳେ ସୁଧାକୋଣ୍ଡା ଗ୍ରାମର ଦେବା କବାସର ୫ଟି,ମାଲା କବାସୀର ୭ଟି ଏବଂ ମୁକେ କବାସୀର ଗୋଟିଏ ଗାଈ ଅର୍ଥାତ ସର୍ବମୋଟ ୧୩ଟି ଗାଈ ଗ୍ରାମର ମାଛଗେଟି ପାହାଡ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ନେଇଥିବା ବେଳେ ଗାଈ ସଥିରେ ଦେବା,ମାଲା, ଏବଂ ମୁକେର ପିଲାମାନେ ସାଥିରେ ଯାଇଥିଲେ । ତେବେ ଅପରାହ୍ନ ସମୟରେ ବର୍ଷା ଏବଂ ଘଡଘଡି ହେବାରୁ ଗୋରୁ ମାନେ ପାହାଡ ଉପରେ ଥିବା ଗଛମୂଳରେ ଯାଇ ଆଶ୍ରୟ ନେଇଥିଲେ । ଗାଈ ଚରାଇବାକୁ ଯାଇଥିବା ପିଲା ୩ ଜଣ ଗାଈ ପଲ ଠାରୁ ଅନତି ଦୂରରେ ଥିବା ଅନ୍ୟ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। କାଲିମେଳା ଅଞ୍ଚଳରେ ଲଗାଣ ବର୍ଷା ସହିତ ବଜ୍ରପାତ ଲାଗିରହିଥିବା ବେଳେ ଏହି ସମୟରେ ବଜ୍ରପାତ ହେବା ଯୋଗୁଁ ଘଟଣା ସ୍ଥଳରେ ୧୩ ଟି ଗାଈର ମୃତ୍ୟୁ ଘଟିଥିଲା ।ନିକଟରେ ଆଶ୍ରୟ ନେଇଥିବା ୩ ଜଣ ପିଲା ଚେତାଶୂନ୍ୟ ହୋଇ ସେଠାରେ ପଡି ରହିଥିଲ । କିଛ ସମୟ ପରେ ଚେତା ଫେରିବା ଯୋଗୁଁ ପରିବାର ଲୋକମାନେ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରି କାଲିମେଳା ସ୍ବାସ୍ଥ୍ଯ କେନ୍ଦ୍ରେ ଚିକିତ୍ସା କରାଇଥିଲେ। ଖବର ପାଇ କାଲିମେଳା ଗୋଷ୍ଠୀ ପ୍ରାଣୀ ଚକିତ୍ସାଳୟର ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଅଶୋବନ୍ତ କୁମାର କୁମୁଟି ଏବଂ ଅମୀୟଲାଲ ପାତ୍ର ପ୍ରାୟ ୪ କିମି ପଥ ଅତିକ୍ରମ କରି ପାହାଡ ଝରଣା ଦେଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଗାଈମାନଙ୍କର ଶବ ବ୍ୟବଚ୍ଛେଦ କରିଥିଲେ । ଅନ୍ୟପକ୍ଷରେ ତେଲରାଇ ସରପଞ୍ଚ ମୁକା ସୋଡ଼ି ମଧ୍ୟ ଖବର ପାଇ ସେଠାରେ ପହଞ୍ଚି ମୃତ ଗୋ-ପାଳକମାନଙ୍କୁ ଆଶ୍ବାସନା ଦେବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲାପ୍ରଶାସନକୁ ନିବେଦନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)