ବଜ୍ରପାତରେ ନଅ ଗାଈଗୋରୁ ମୃତ; ବାଛୁରୀ ଗୁରୁତର; ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି ।

ବେଲଗୁଣ୍ଠା,୩୧୵୦୮(ପିପିଟି):ଆଜି ଅପରାହ୍ଣରେ ବଜ୍ରପାତରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ଶିରୀକୋଈ ଗ୍ରାମର ଜୟ ଗୌଡ଼ଙ୍କ ନଅଟି ଗାଈଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି । ଖବରରୁ ଜଣାପଡିଛି ଆଜି ଜୟ ପ୍ରତିଦିନ ଭଳି ଗାଈ ଚରାଇବା ପାଇଁ ବଞ୍ଜର ଅଞ୍ଚଳକୁ ଯାଇଥିଲେ । ଆଜି ଅପରାହ୍ଣ ତିନିଘଣ୍ଟା ସମୟରେ ହଠାତ୍ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା । ବଜ୍ରପାତ ଯୋଗୁଁ ଜୟଙ୍କ ଚାରୋଟି ଗାଈ, ଦୁଇଟି ଛଡା ଏବଂ ତିନୋଟି ଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଏକ ବାଛୁରୀ ଗୁରୁତର ଆହତ ହୋଇ ଛଟପଟ ହେଉଥିଲା । ଘଟଣାସ୍ଥଳରେ ହିଁ ବାଛୁରୀଟିକୁ ତୁରନ୍ତ ଚିକିତ୍ସା ଯୋଗାଇଦିଆଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ପଶୁ ସମ୍ପଦ ଅଧିକାରୀ ଡ଼ାକ୍ତର କାର୍ତ୍ତିକ ସାହୁ ଖବର ପାଇ ତୁରନ୍ତ ଗାଙ୍ଗପୁର ଭିଏସ୍ ଡ଼ାକ୍ତର ଅବିନାଶ ସାହୁଙ୍କୁ ଜଣାଇଥିଲେ । ଖବର ପାଇ ଡ଼ାକ୍ତର ଅବିନାଶ ତୁରନ୍ତ ନେଟେଙ୍ଗା ପ୍ରାଣୀଧନ ନୀରିକ୍ଷକ ମନୋରଞ୍ଜନ ପ୍ରଧାନଙ୍କୁ ସାଥିରେ ନେଇ ଶିରୀକୋଈ ଗ୍ରାମକୁ ଯାଇ ଗୁରୁତର ବାଛୁରୀକୁ ଚିକିତ୍ସା କରିବା ସହ ମୃତ ପଶୁମାନଙ୍କର ଶବ ବ୍ୟବଚ୍ଛେଦ କରାଇ ଗଛମୂଳେ ପୋତି ଦେଇଥିଲେ । ଘଟଣା ସମ୍ପର୍କରେ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୂଜୂରଙ୍କୁ ଅବଗତ କରାଯିବ ବୋଲି ଉଭୟ ପଶୁ ଚିକିତ୍ସକ ପ୍ରକାଶ କରିଛନ୍ତି । ଜୟ ଜଣେ ଗରିବ ଶ୍ରେଣୀର କୃଷକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Comments (0)
Add Comment