ହିଞ୍ଜିଳିକାଟୁ,୩୦/୦୬( ପିପିଟି); ଆଜି ବୁଧବାର ଅପରାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ହଠାତ ଆସିଥିଲା ବର୍ଷା ଓ ପବନ ସାଙ୍ଗକୁ ଆକାଶରେ ବିଜୁଳି ସହିତ ବାରମ୍ବାର ଚଡଚଡ଼ି । ସେହି ସମୟରେ ଚଡଚଡ଼ି ଏବଂ ବଜ୍ରପାତ ଯୋଗୁଁ ଜଣେ ଗାଈ ଚରାଳୀଙ୍କ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ହିଞ୍ଜିଳି ପୌରାଞ୍ଚଳ ଚନ୍ଦ୍ର ଶେଖର ମାର୍ଗର ପାଣ ଗୌଡ଼ଙ୍କ ପୁତ୍ର ଶିବାରମ ଗୌଡ଼ (୩୮) ।ଅଞ୍ଚଳବାସୀଙ୍କ ସୂଚନା ପ୍ରକାରେ ଶିବରାମ ପ୍ରତିଦିନ ଗାଈ ଗୋଠ ନେଇ ନିକଟସ୍ଥ ବିଲ ମାଳକୁ ଚରାଇବା ପାଇଁ ଯାଆନ୍ତି । ଆଜି ମଧ୍ୟ ସେ ଗାଁ ନିକଟସ୍ଥ ଏକ ବିଲରେ ଗାଈ ଗୋଠ ନେଇ ଚରାଉଥିଲେ ।ଆଜିର ଦିନ ତାଙ୍କପାଇଁ କାଳ ହୋଇ ଆସିଥିଲା ଏବଂ ଅପରାହ୍ନରେ ହଠାତ ଘଡଘଡି ସହ ବର୍ଷା ଯୋଗୁଁ ବଜ୍ରପାତରେ ମୁର୍ମୁସ ଅବସ୍ଥାରେ ଶିବରାମ ଗାଈ ଚରାଉଥିବା ବିଲରେ ଟଳି ପଡ଼ିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ମୁର୍ମୁସ ଅବସ୍ଥାରେ ଶିବରାମକୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ସହ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଥିବା ଡାକ୍ତର ଶିବରାମଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା , ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ ,ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହିଞ୍ଜିଳି ପୋଲିସ ତରଫରୁ ଏସଆଇ ରାଘବ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିବା ସହ ଅପମୃତ କେଶ ନଂ ୬/୨୧ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)