ବଜ୍ରକାପ୍ତା ଉଦ୍ଧାର,୫ଗିରଫ ।

ଟିଟିଲାଗଡ଼,୨୩/୧୨: ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରୀ ଉଦ୍ୟମ ବେଳେ ବନ ବିଭାଗ ହାତରେ ଧରାପଡିବା ଆଲୋଚନାର ବିଷୟ ହୋଇଛି । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ଏନେଇ ସଇଁତଲା ପୋଲିସ ସହାୟତାରେ ଚଢ଼ାଉ ସହ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଏ ସଂକ୍ରାନ୍ତରେ ୫ ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ମାଲପଡା ଗ୍ରାମର ପିତା ପୁତ୍ର ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରୀ ପାଇଁ ଯୋଜନା କରିଥିଲେ । ଏନେଇ ମଧ୍ୟସ୍ଥ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ୱର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନେଶ୍ୱର ମହାନନ୍ଦ, ଖରିଆର ଥାନା ବାଙ୍କପୁର ଗ୍ରାମର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତାକୁ ୩୫ ଲକ୍ଷ ଟଙ୍କାରେ ବିକ୍ରୀ ପାଇଁ ଯୋଜନା କରିଥିଲେ । ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜିବର୍ଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ଆହତ ବଜ୍ରକାପ୍ତାର ଚିକିତ୍ସା ପାଇଁ ବଲାଙ୍ଗିର ପଠାଯାଇଛି । ଏନେଇ ବନ ବିଭାଗ ପକ୍ଷରୁ ୨ ଅଭିଯୁକ୍ତ, ୩ ମଧ୍ୟସ୍ଥଙ୍କ ସମେତ ମୋଟ ୫ ଜଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗିରଫ ସହ ସଇଁତଲା କୋର୍ଟ ଚାଲାଣ କରାଯାଇଛି ।

Comments (0)
Add Comment