***ଫୁଲ ଓ ମାନବ***

ବସନ୍ତେ ପ୍ରକାଶି ନାନା ରୂପ ରଙ୍ଗେ
ପ୍ରଭାତେ କୁସୁମ ହୋଇ…..
ସୌରଭ ବିତରେ ମଳୟ ସ୍ରୋତରେ
ପ୍ରସରି ଦିଗନ୍ତ ଛୁଇଁ…..!!
କୁସୁମ ସୁଗନ୍ଧେ ମଧୁପ ବିମୁଗ୍ଧ
ଆସେ ମଧୁ ପାନ ଆଶେ….
ଗୁଣୁ ଗୁଣୁ ସ୍ବର କରିଣ ଗୁଞ୍ଜନ
ଆକଣ୍ଠେ ମଧୁକୁ ଶୋଷରେ…..!!
ମଧୁ ପାନ ପାଇଁ ବ୍ୟାକୁଳ ବିହଙ୍ଗ
ଟିକି ଟିକି ପର ଝାଡି….
କ୍ଷୁଦ୍ର ପକ୍ଷୀଟିଏ ବିଧାତା ଗଢିଛି
ଫୁଲେ ଫୁଲେ ଯାଏ ଉଡି….!!
ମହୁ ମାଛି ମହୁ ସଂଗ୍ରହ କରିଣ
ଫଣାରେ ସଞ୍ଚୟ କରେ….
ମହୁଫଣା ଭାଙ୍ଗି ଚତୁର ମଣିଷ
ଶେଷରେ ସେ ଚୋରିକରେ….!!
ଗ୍ରାମ କରେ ମହୁ ଔଷଧ ରୂପରେ
ସୁମନର ଅବଦାନ….
ପ୍ରକୃତି ପ୍ରଦତ୍ତ ସକଳ ସଂପଦ
କର୍ମଟି ଶ୍ରେଷ୍ଠ ସୁଗୁଣ….!!
ପ୍ରଜାପତି ଆସି ଫୁଲେ ଫୁଲେ ବସି
ଝାଡଇ ରଙ୍ଗୀନ୍ ଡେଣା…
ମିଳନ ମୁହୂର୍ତ୍ତ ଦେଖିଲେ ଏ ନେତ୍ର
ଚିତ୍ତ ହୁଏ ବାଟବଣା….!!
କୁଞ୍ଜ କାନନରେ ବିକଶିତ କୁସୁମ
ବିମୁଗ୍ଧ କରି ପ୍ରାଣ…..
କୋମଳ କୁସୁମ ଆହାଃ କି ସୁଷମ
ବିଷାଦ କରେ ହରଣ….!!
ପୁଷ୍ପ ସମ ଆମ ଜୀବନ ସୋପାନ
ଅସ୍ଥାୟୀ କ୍ଷଣ ଭଙ୍ଗୁର….
ନିଃଶ୍ବାସ ପ୍ରଶ୍ବାସ ହେଲେ ଅବରୋଧ
ନିସ୍ତେଜ ହେବ ଶରୀର….!!
ଜୀବନଟା ଯଦି ଫୁଲର ଆୟୁଷ
ସୁଗୁଣେ ମହକି ଯାଅ….
ମଧୁ ଦାନ କରି ମହାନ କୁସୁମ
ଜନ ହିତେ ବ୍ରତୀ ହୁଅ….!!
ଜୀଇଁବାର ମାନେ ନୁହେଁ ଦୀର୍ଘ କାଳ
ହେଉ ବା ସ୍ବଳ୍ପ ସମୟ….
ମହତ ଜନର ମହାନ ସୁକର୍ମ
ହେବ ନାହିଁ ଅବକ୍ଷୟ…..!!
ପୂଜିତ ବନ୍ଦିତ ହେବ ପୁଷ୍ପ ସମ
ସର୍ବତ୍ର ଫୁଲ ଆଦର ….
ଦେବତା ଗଳାରେ କେବେ ପୁଷ୍ପ ଶୋହେ
ଶବେ ଶୋଭା ଫୁଲ ହାର…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment