ଫୁଲବାଣୀ ପୌରପରିଷଦର ବର୍ଦ୍ଧିତ ହୋଲଡିଂଟାକ୍ସକୁ ମିଳିତ ନାଗରିକ କମିଟିର ବିରୋଧ।

ଫୁଲବାଣୀ, ୧୫/୧୧(ପିପିଟି): ଫୁଲବାଣୀ ପୌରପରିଷଦ କୌଣସି ସୁବିଧା ସୁଯୋଗକୁ ଯୋଗାଇ ନ ଦେଇ ହୋଲଡିଂଟାକ୍ସକୁ ଦଶ ଗୁଣ ବଢାଇବା ଓ ସର୍ଭିସ ଚାର୍ଜ ନାମରେ କୌଣସି ନୀତି ନିୟମ ନ ରଖି ମନ ଇଚ୍ଛା ଅର୍ଥ ଆଦାୟ କରୁଥିବା ନେଇ ଏହାକୁ ଜନ ବିରୋଧୀ କହି ମିଳିତ ନାଗରିକ କମିଟି ଏହାକୁ ବିରୋଧ କରିଛି । ପ୍ରଥମେ ସହର ବାସୀଙ୍କ ପାଇଁ ଉଦିଷ୍ଟ ମୌଳିକ ସୁବିଧା ସୁଯୋଗକୁ ଯୋଗାଅ ତା ପରେ ଟାକ୍ସ ଆଦାୟ କର ବୋଲି ଆଜି ସନ୍ଧ୍ୟାରେ ମିଳିତ ନାଗରିକ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ସହର ବାସୀଙ୍କ ସୁବିଧା ସୁଯୋଗକୁ ଅଣ ଦେଖା କରାଯାଉଥିବା ଓ ସହରର ସମସ୍ୟାର କୌଣସି ସ୍ଥାୟୀ ବନ୍ଦୋବସ୍ତ କରାଯାଉନଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା ବୈଠକରେ । ଏହିଭଳିକି ସହରରେ ସରକାରୀ ଜାଗାରେ ଘର ଟିଏ କରି ବୋହୁ ବର୍ଷ ଧରି ବସ ବାସ କରୁଥିବା ଲୋକଙ୍କ ଠାରୁ ସୁବିଧା ନ ଯୋଗାଇ ସର୍ଭିସ ଚାର୍ଜ ନାମରେ ହୋଲଡିଂଟାକ୍ସ ଠାରୁ ଅଧିକା ଅର୍ଥ ଆଦାୟ କରାଯାଉଥିବା ବେଳେ ପୌରପରିଷଦରେ ବର୍ତ୍ତମାନର ନୂଆ ସର୍ଭେ ଅନୁଯାୟୀ ୪,୫୦୦ ପଟା ଧାରୀଙ୍କ ଠାରୁ ଦଶ ଗୁଣ ବର୍ଦ୍ଧିତ କର ଆଦାୟ କରାଯିବା ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି । ଏହି ହୋଲଡିଂଟାକ୍ସକୁ ଜାନୁଆରୀ ମାସ ଠାରୁ ଦଶ ଗୁଣ ବଢ଼ାଇ ଟାକ୍ସ ଆଦାୟ ନିର୍ଦେଶ ନାମାକୁ ମିଳିତ ନାଗରିକ କମିଟି ବିରୋଧ କରିଛି । ବର୍ତ୍ତମାନ କୋଭିଡ଼ ପାଇଁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବା ବେଳେ ପୌରପରିଷଦର ଏହି ନିଷ୍ପତ୍ତି ବୋଝ ଉପରେ ଲଳିତା ବିଡା ଭଳି । ଅପର ପକ୍ଷରେ ମୌଳିକ ସୁବିଧାକୁ ଯୋଗାଇ ନ ଦେଇ ବର୍ଦ୍ଧିତ କର ଆଦାୟକୁ କମିଟି ବିରୋଧ କରିଛି । ଏହାକୁ ପୌରପରିଷଦ ସ୍ଥଗିତ ରଖି ସୁବିଧା ଯୋଗାଇବା ପରେ ନିଷ୍ପତ୍ତି ନେବା ପାଇଁ ଦାବୀ କରିଛି । ଏଥିରେ କମିଟିର ଆବାହକ ଅଶୋକ ପରିଡା , ସଭାପତି ବରିଷ୍ଠ ସାମ୍ବାଦିକ ଅରୁପ ଜେନା , ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳା କାନ୍ତ ପାଣ୍ଡେ , ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଓ ସିଦ୍ଧେସ୍ୱର ଦାସ କମିଟିର ସମ୍ପାଦକ ବରିଷ୍ଠ ଓକିଲ ବିଜୟ ମହାନ୍ତି ଓ ସହରର ବହୁ ବୁଦ୍ଧିଜୀବୀ ମତ ରଖିଥିଲେ ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment