ଫୁଲବାଣୀ କ୍ଷୁଦ୍ର ଜଳସଂପଦ ବିଭାଜନ କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ଚାଲିଛି !

ଫୁଲବାଣୀ,୦୨/୧୦(ପିପିଟି); ଫୁଲବାଣୀରେ କରୋନା ଆକ୍ରାନ୍ତ ବଢି ଚାଲିଥିବା ଯୋଗୁଁ ଗୁଡ଼ାଏ କାର୍ଯ୍ୟାଳୟ ପଜିଟିଭ ବାହାରିବା ଯୋଗୁଁ କଣ୍ଟେଣ୍ଟମେଣ୍ଟ ଜୋନ ହୋଇ ବନ୍ଦ ରହିଛି। କିଛି ଅଧିକାରୀ କରୋନା ଭୟରେ ଫୁଲବାଣୀ ଛାଡ଼ିଦେଇଛନ୍ତି । ଫୁଲବାଣୀ କ୍ଷୁଦ୍ର ଜଳ ସେଚନ ବିଭାଗ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । କୋଟି କୋଟି ଟଙ୍କାର କାମ ବର୍ତ୍ତମାନ କାଗଜ ପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ଡିଭିଜନର ନିର୍ବାହୀ ଯନ୍ତ୍ରୀ ବ୍ରହ୍ମପୁରରେ ଯାଇ ରହୁଛନ୍ତି । ସେହିଭଳି ଅଫିସର ମୁଖ୍ୟ କିରାଣୀ ମଧ୍ୟ ବ୍ରହ୍ମପୁର ବିଭାଗୀୟ କଲୋନୀରେ ରହୁଛନ୍ତି । ଫଳରେ କାର୍ଯ୍ୟାଳୟଟି ମୁରବି ବିହୀନ ହୋଇପଡିଛି । ଆବଶ୍ୟକ ପଡ଼ିଲେ ଫୁଲବାଣୀରୁ ଜଣେ ସ୍ୱତନ୍ତ୍ର ମେସେଞ୍ଜର କିମ୍ବା ଠିକାଦାର ଅଫିସର ଫାଇଲ ନେଇ ବ୍ରହ୍ମପୁରରେ ଦସ୍ତଖତ କରାଇ ଆଣି ଡିଭିଜନର କୋଟି କୋଟି ଟଙ୍କାର କାମ ଚାଲିଛି । ଏନେଇ ଅସନ୍ତୋଷ ପ୍ରକାଶ କରି ବିଭାଗର କିଛି କର୍ମଚାରୀ ନିଜ ନାମକୁ ଗୋପନ ରଖି ସୂଚନା ଦେଇଛନ୍ତି । ପ୍ରଶ୍ନ ଉଠୁଛି ଯଦି ପିଅନ , କିରାଣୀ ଓ ତଳିଆ କର୍ମଚାରୀ କାର୍ଯ୍ୟାଳୟରେ ରହି କାମ କରିବେ ତେବେ ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟ କିରାଣୀ କାହିଁକି ରହି ପାରିବେ ନାହିଁ ? ଏହି ଭଳି ପରିସ୍ଥିତିରେ ବିଭାଗର କାମ କିଭଳି ଚାଲିଥିବ ଏହା ଅନୁମାନ କରାଯାଇ ପାରେ । କେବଳ କାଗଜ କଲମରେ ଟଙ୍କା ଖର୍ଚ୍ଚ ହେଉଛି ନା ବାସ୍ତବରେ କିଛି କାମ ହେଉଛି ? ଯଦି ହେଉଛି ଏହାର ତଦାରଖ କିଭଳି ହେଉଛି ଏହା ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି । ଉଚ୍ଚ କର୍ତ୍ତୃପକ୍ଷ ଓ ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କରି ଏହି ସବୁର ପର୍ଦାଫାସ କରିବା ପାଇଁ କିଛି ଅବସର ପ୍ରାପ୍ତ କର୍ମଚାରୀ ଦାବି ରଖିଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Comments (0)
Add Comment