ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ; ପୋଲିସର ତଦନ୍ତ ଜାରି ।

ଭଞ୍ଜନଗର, ୦୪/୦୨(ପିପିଟି): ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ଇଣ୍ଡାନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଜଣେ ଫାଷ୍ଟଫୁଡ଼ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।ସୂଚନା ମୁତାବକ ଦୋକାନ ସାମ୍ନାରେ ଉକ୍ତ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟରେ କୌଣସି କାରଣରୁ ପ୍ରଥମେ ବଚସା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବ୍ୟବସାୟୀ ହରେକୃଷ୍ଣ ସାଇଁ (୩୮) ହାଠାତ୍ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ।ଏହାଦେଖି ସେଠାରେ ଥିବା କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡ଼ିକାଲରେ ଡାକ୍ତର ହରେକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଭଞ୍ଜନଗର ପୋଲିସ ଶବ ଜବତ କରିବା ସହ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ହରେକୃଷ୍ଣଙ୍କ ଶରୀରରେ କୌଣସି କ୍ଷତ ନଥିବା ବେଳେ ଜଣେ ସୁସ୍ଥ ସବଳ ଯୁବକ ହଠାତ କିଭଳି ମୃତ୍ୟୁବରଣ କଲେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।ମୃତ ହରେକୃଷ୍ଣଙ୍କ ପତ୍ନୀ ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି। ହରେକୃଷ୍ଣଙ୍କ ଘର ବଡ଼କୋଦଣ୍ଡା ହୋଇଥିବା ବେଳେ ସେ ଭଞ୍ଜନଗରରେ ବ୍ୟବସାୟ କରନ୍ତି।ଆଜି ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଏସ ଆଇ ସମୀର କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।ଭଞ୍ଜନଗର ଥାନା କେସ ନଂ ୧୦୦/୨୬ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment