ଫସଲ ବୀମା ପ୍ରଦାନ ଦାବି କଲେ ଚାଷୀ; ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ ।

ଭଞ୍ଜନଗର,୧୬/୧୦(ପିପିଟି ):ବର୍ତ୍ତମାନ ସମୟରେ ଚାଷୀ ପାଇଁ ମୁଖ୍ୟ ସମସ୍ୟା ହେଲା ଚକଡ଼ା ପୋକ ସହ ଔଷଧ ପ୍ରଭାବ ହୀନ ଯୋଗୁଁ ଚିନ୍ତା ବଢ଼ି ଯାଇଛି। ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଧାନଚାଷ ହୋଇଛି। କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ, ବିଶେଷଜ୍ଞଙ୍କ ବିନା ଅନୁମତିରେ ମନ ଇଛା କୀଟନାଶକ ଔଷଧ ସିଞ୍ଚନ ସମେତ ଅନ୍ୟାନ୍ୟ କାରଣ ଯୋଗୁ ଧାନ ଗଛରେ ମାଟିଆଗୁଣ୍ଡି ପୋକ ଲାଗିଛି। ବିଶେଷ କରି ଭଞ୍ଜନଗର ବ୍ଲକର ସାନକୋଦଣ୍ଡା, ଗାଲେରୀ, ହରିଗଡ, ବ୍ରାହ୍ମଣପଦର,ଦୋମୁହାଣୀ, ଜିଲୁଣ୍ଡି, ବାଉଁଶଲୁଣ୍ଡି, ପଢ଼ାଳ, କୁଲାଡ, ଲାଲସିଂ, ମୁଜାଗଡ଼, ଗୁଣ୍ଡିରିବାଡ଼ି ପ୍ରମୁଖ ପଞ୍ଚାୟତର ଧାନ ଫସଲରେ ଚକଡ଼ା ଓ ମାଟିଆଗୁଣ୍ଡି ପୋକ ଲାଗିଛି। ବର୍ତ୍ତମାନ ଧାନ କେଣ୍ଡା ଧରିବା ସମୟରେ ପୋକ ଲାଗିବା ଯୋଗୁ ଫସଲ ବିଶେଷ କ୍ଷତି ହେଉଛି। ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଭବିଷ୍ୟତରେ ଏହି ସମସ୍ୟା ବଢ଼ିଲେ ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରିବାକୁ କିଛି ଚାଷୀ ଦାବି କରିଛନ୍ତି। ଏହିଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି। ଗୁରୁବାର ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ଭଞ୍ଜନଗର କୃଷି ବିଜ୍ଞନ କେନ୍ଦ୍ରର ବୈଜ୍ଞାନିକ ମୁଖ୍ୟ ଡ.ସୁତୁନୁ ଶତପଥି, ବୈଜ୍ଞାନିକ ଡ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ମାଟିଆଗୁଣ୍ଡି ପୋକ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଗାଲେରୀ ଅଞ୍ଚଳର ଚାଷ ଜମି ବୁଲି ଅନୁଧ୍ୟାନ କରିଛନ୍ତି। ସଠିକ ଜଳ ପରିଚାଳନା ସହ ଆବଶ୍ୟକ କୀଟନାଶକ ସିଞ୍ଚନ କରିବାକୁ ବିଶେଷଜ୍ଞ ଦଳ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବଜାରରେ ମିଳୁଥିବା କୀଟନାଶକ ଆଣି ପକାଇଲେ ମଧ୍ୟ କିଛି ବିଶେଷ ପ୍ରଭାବ ପଡୁନଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । କିନ୍ତୁ ଉପଯୁକ୍ତ ଔଷଧ ପ୍ରୟୋଗ ଦ୍ବାରା ଏବେ କେତେକ ସ୍ଥାନରେ ଧାନ ଫସଲ ରୋଗମୁକ୍ତ ହୋଇଥିବା ଜଣାପଡିଛି।
ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଅଧିକ ମାତ୍ରାରେ ୟୁରିଆ ବ୍ୟବହାର ଦ୍ବାରା ରୋଗପୋକ ବଢ଼ୁଛି । ଦୀର୍ଘ ସମୟ ଧରି ଧାନ ଗଛରେ କିରଣ ନ ପଡ଼ିବା, ବିଲରେ ପାଣି ଜମିରହିବା ଏବଂ ଲାଗି ଲାଗି ଧାନ ରୋଇବା ଫଳରେ ଏହି ପୋକ ଅଧିକ ଲାଗିବାର ଆଶଙ୍କା ରହିଛି । ତଥାପି ରୋଗପୋକ ଲାଗିଥିବା ଫସଲରେ ଆବଶ୍ୟକ କୀଟନାଶକ ପ୍ରୟୋଗ କରିବାକୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଖୋଲା ବଜାରରୁ ଔଷଧ କିଣି ପ୍ରୟୋଗ କରିବା ପରେ ପଞ୍ଜିକୃତ ଚାଷୀଙ୍କୁ ଏହାର ସରକାରୀ ରିହାତି ମୂଲ୍ୟ ଡିବିଟି ଜରିଆରେ ଫେରସ୍ତ କରାଯିବା ନିୟମ ରହିଥିବା କୃଷି ବିଭାଗ ସୂଚନା ଦେଇଛି। ତେଣୁ ଚାଷୀମାନେ ତାହାର ସୁଫଳ ନେବା ପାଇଁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment