ଚିକିଟି,୨୮/୦୬(ପିପିଟି): ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀଙ୍କ ସଭାପତିତ୍ବରେ ଚିକିଟି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ତ୍ୟାଗବୀର ଦିବାକର ପଟ୍ଟନାୟଙ୍କ ପୁତୁରା ବିଜୟ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ସମ୍ମିଳନୀରେ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ,ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ସମରଜିତ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବାଧୀନତା ସଂଗ୍ରାମର ଅଗ୍ନିଗର୍ଭରୁ ନେତାଜୀଙ୍କ ନେତୃତ୍ୱରେ ଜନତାଙ୍କ ଶାସନ ପ୍ରତିଷ୍ଠା ଲକ୍ଷ୍ୟରେ ଗଠନ ହୋଇଥିବା ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ସଂଘର୍ଷପୂର୍ଣ୍ଣ ଇତିହାସ ସଂକ୍ରାନ୍ତରେ ଅବଗତ କରାଇବା ସହ ଦେଶର ଯୁବ ପିଢ଼ି ଏହି ପଥର ପଥିକ ହେଲେ ନେତାଜୀଙ୍କ ସ୍ୱପ୍ନର ଭାରତ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ବକ୍ତବ୍ଯରେ ଫରୱାର୍ଡ ବ୍ଲକ ଶ୍ରମିକ, କୃଷକ,ଯୁବ,ଛାତ୍ର ଓ ମହିଳାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛି । ଭାରତୀୟ ମୁକ୍ତି ସଂଗ୍ରାମରେ ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ ବାହିନୀ ଓ ଫରୱାର୍ଡ଼ ବ୍ଲକ ର ଲଢେଇରେ ଗଞ୍ଜାମ ଜିଲ୍ଲାର ସଂଗ୍ରାମୀମାନଙ୍କ ଭୂମିକା ଅବର୍ଣ୍ଣନୀୟ । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ନେତା ତ୍ୟାଗବୀର ଦୀବାକର ପଟ୍ଟନାୟକ ଫରୱାର୍ଡ ବ୍ଲକର ଜାତୀୟ ଉପସଭାପତିର ପଦ ମଣ୍ଡନ କରି ଜାତୀୟ ରାଜନୀତିକୁ ନେତୃତ୍ୱ ଦେଇ ଥିବାବେଳେ ଚିକିଟିରୁ ଫରୱାର୍ଡ ବ୍ଲକର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦୀବାକର ପଟ୍ଟନାୟକ ସାଲିସ ବିହୀନ ରାଜନୀତି ଓ ତ୍ଯାଗ ସବୁଦିନ ପାଇଁ ମନେ ରହିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଗଞ୍ଜାମ ମାଟିର ଝିଅ ଲଷ୍ମୀ ଇନ୍ଦିରା ପଣ୍ଡା ଆଜାଦ ହିନ୍ଦ ବାହିନୀର ସର୍ବ କନିଷ୍ଠ ସିପାହୀ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଇଥିଲେ । ସେହି ସଂଗ୍ରାମୀମାନଙ୍କ ପଦାଙ୍କ ଅନୁସରଣ କରି ଗଞ୍ଜାମ ଜିଲ୍ଲା ଓ ରାଜ୍ୟର ଯୁବପିଢ଼ି ଆଗକୁ ବଢିଲେ ନେତାଜୀଙ୍କ ସୁଭାଷବାଦୀ ବିଚାରରେ ରାଜ୍ୟରେ ରାଜନୈତିକ ଜନ ବିକଳ୍ପ ସୃଷ୍ଟି ହୋଇପାରିବ ବୋଲି ପ୍ରକାଶ କରିଥିଲେ ।
ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ ୨୪ ବର୍ଷର ବିଜେଡି ସରକାର ଓ ଦୁଇ ବର୍ଷ ଧରି ବିଜେପି ଶାସନରେ ଦାଦନ ଶ୍ରମିକ ସମସ୍ଯା ବଢିଛି,ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଦୁର୍ନୀତି ବଢିଥିବା କହିଥିଲେ । ଶିକ୍ଷା,ସ୍ବାସ୍ଥ୍ଯ ଓ ଜଳସେଚନ ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ। ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ଫରୱାର୍ଡ ବ୍ଲକର ରାଜନୈତିକ ଆଭିମୁଖ୍ଯ ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।
ସାମ୍ବାଦିକ ସମରଜିତ୍ ମହାନ୍ତି କହିଥିଲେ ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଥିଲା ବେଳେ ସରକାରୀ କଳ ନିରବଦ୍ରଷ୍ଟା ସାଜିଛି । ଅନ୍ୟପଟରେ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଭଳି ଅବସ୍ଥାରେ ଫରୱାର୍ଡ ବ୍ଲକ ସଂଗଠନକୁ ଲୋକାଭିମୁଖୀ କରିବା ସହିତ ସବୁ ବର୍ଗର ଲୋକଙ୍କୁ ଏହି ଅଭିଯାନ ସହ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଚିକିଟି ମଦ ମୃତ୍ଯୁ, କବିସୂର୍ଯ୍ୟନଗର ହାଜତ ମୃତ୍ଯୁ,ଗାନ୍ଧୀ କଲେଜର ଛାତ୍ରୀ ଆତ୍ମହତ୍ୟା, ବେଗୁନିଆପଡା ଅଞ୍ଚଳରେ ଦୁଷ୍କର୍ମ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀରେ ନେତାଜୀଙ୍କ ରାଜନୈତିକ ସୁଭାଷବାଦୀ ଦର୍ଶନ ହିଁ ବିକଳ୍ପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଜିଲ୍ଲା ସଭାପତି ଭାବେ ବିଭୂଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଜିଲ୍ଲା ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ, କୋଷାଧ୍ୟକ୍ଷ ମିଥୁନ ବେହେରା,ଜିଲ୍ଲା କମିଟିକୁ ବଦ୍ରିନାରାୟଣ ରଣା,ବାଉରୀବନ୍ଧୁ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ,ସନାତନ ମହାରଣା,ସନ୍ତୋଷ ପ୍ରଧାନ,ବିଘ୍ନେଶ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଫରୱାର୍ଡ ବ୍ଲକ ଲଢେଇ ଜାରି ରଖିବ ବୋଲି ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ଜିଲ୍ଲା ସମ୍ମିଳନୀ ସଫଳତାର ସହିତ ସମାପ୍ତ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।