ସାନଖେମୁଣ୍ଡି,୧୬/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନସ୍ଥ ପଳାସପୁର ଗ୍ରାମ ଆମ୍ବତୋଟା ନିକଟରେ ଆଜି ସକାଳ ସମୟରେ ଏକ ପ୍ଲାଷ୍ଟିକ ବୋଝେଇ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ମୃତ ସାଇକେଲ ଚାଳକ ହେଲେ ସାନଖେମୁଣ୍ଡି ବ୍ଲକ ପଳାସପୁର ଗ୍ରାମର ନରସିଂହ ସାହୁ । ସୂଚନାନୁଯାୟୀ , ନରସିଂହ ସାହୁ ଆଜି ସକାଳୁ ନିଜ ଚାଷ ଜମିକୁ ସାଇକେଲ ଯୋଗେ ବାହାରିଥିଲା । ସେହି ସମୟରେ ପଳାସପୁରରୁ ଡେଙ୍ଗାଓସ୍ତା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଭ୍ଯାନଟି ନମ୍ବର ( ଓଡି୦୫ ଏମ୍ ୬୮୮୦ ) ତୋଟା ନିକଟରେ ସାଇକେଲ ଆରୋହୀଙ୍କ ପଛପଟୁ ଧକ୍କା ଦେଇଥିଲା । ଏହାପରେ ଗାଡି ଚାଳକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ଦେବାସହ ଗାଡ଼ିଟି ଓଲଟି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ପ୍ରକାରେ ଗାଡ଼ି ଚାଳକ ଜଣକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାପରେ ସେଠାରେ ଥିବା କିଛି ଗ୍ରାମବାସୀ ନୃସିଂହଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଠାରୁ ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )