ମାଲକାନଗିରି,୦୩/୦୩(ପିପିଟି); ୯ମ ଶ୍ରେଣୀରେ ପାଠ ପଢୁଥିବା ଝିଅଟି ଏକ ଯୁବକକୁ ମନ ପ୍ରାଣ ଦେଇ ଭଲ ପାଇଲା । ଜୀବନ ସାଥି କରିବା ପାଇ ଅନେକ ସ୍ବପ୍ନ ଦେଖିଲା । ତେବେ ଯେଉଁ ଯୁବକଟିକୁ ସେ ଏତେ ଭଲ ପାଇଥିଲା, ସେହି ଯୁବକ ଜଣକ ଅନ୍ଯ ଏକ ଝିଅକୁ ବିବାହ କଲା ପରେ ଦୀର୍ଘ ଦିନ ହେଲା ଭଲ ପାଇ ଆସୁଥିବା ଝିଅଟି ସୁନେଲୀ ସ୍ବପ୍ନ ଶେଷରେ ଚୁରମାର ହୋଇ ପଡିଥିଲା । ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲା । ପ୍ରେମରେ ସଂପୂର୍ଣ୍ଣ ବିଫଳ ହୋଇ ଶେଷରେ ବେକରେ ଗାମୁଛା ଲଗାଇ ଆତ୍ମ ହତ୍ଯା କଲା । ଏହି ଘଟଣାଟି ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଘଟଣାରୁ ପ୍ରକାଶ ଯେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୫ ଗ୍ରାମର ଜଣେ ୯ମ ଶ୍ରେଣୀରେ ଅଧ୍ଯନୟ କରୁଥିବା ନାବାଳିକା ନିକଟସ୍ଥ ଏମଭି -୧୦୯ ଗ୍ରାମର ଏକ ଯୁବକଙ୍କୁ ଭଲ ପାଇ ବସିଲା । ଝିଅଟି ଯୁବକଙ୍କୁ ଏତେ ଭଲ ପାଉଥିଲା ଯେ,ସେ ମନେ ମନେ ସ୍ଥିର କରିଥିଲା ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ । ମାତ୍ର ଝିଅଟ୍ର ବୟସ ହୋଇ ନଥିବାରୁ ଯୁବକ ଜଣଙ୍କ କିଛି ଦିନ ତଳେ ଅନ୍ଯ ଏକ ଝିଅକୁ ବିବାହ କରିଥିଲା । ଏହି ବିବାହ ଘଟଣାଟି କୌଣସି ସୂତ୍ରରୁ ଝିଅଟି ଜାଳିଲା ପରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା । ଗତ ସୋମବାର ଦିନ ଝିଅଟିର ମୁଖ ମଣ୍ଡଳରେ ଦୁଃଖର କଳା ବାଦଲ ଆଛାଦିତ ହୋଇ ପଡିଥିଲା । ସେ ଭଲ ପାଇଥିବା ସ୍ବପ୍ନ ଚୁରମାର ହୋଇ ଧୂଳିସାତ ହେବା ପରେ ଜୀବନ ହାରିବା ପାଇଁ ମନେ ମନେ ଦୃଢ ନିଷ୍ପତ୍ତି ନେଇଥିଲା । ସେ ଦିନ
ରାତିରେ ମାଆ ଖାଇବା ପାଇଁ ଭାତ ତରକାରି ବାଢି ଦେଇଥିଲେ ମଧ୍ଯ ଝିଅଟି ଭଲ ଭାବରେ ଭୋଜନ କରି ନଥିଲା ।ରାତିରେ ଶୟନ କକ୍ଷକୁ ଯାଇ କବାଟ କିଳୀ ଦେଇଥିଲା । ତାପରେ ଦେହରେ ପରିଧାନ କରିଥିଲା ନାଲି ଶାଢୀ,ହାତରେ ନାଲି ଚୁଡି,ଶଙ୍ଖା,ସତେ ଯେମିତି ନବ ବିବାହିତା ବଧୂ ବେଶରେହେୀଇଥିଲା ସୁସଜ୍ଜିତ । ପରବର୍ତ୍ତୀ ନିଶାର୍ଦ୍ଧରେ
ବେକରେ ଗାମୁଛା ଲଗାଇ କରିଥିଲା ଆତ୍ମହତ୍ଯା । ମଙ୍ଗବାର ଦିନ ସକାଳେ କବାଟ ଖୋଲି ବାପା ମାଆ ଦେଖିଲେ ଝିଅଟି ବଧୂବେଶରେ ସାଜ୍ଜ ସଜ୍ଜା ହୋଇ ବେକରେ ଫାଶୀ ଦେଇଦେଇଛି !ସାଙ୍ଗେ ସାଙ୍ଗେ କୋରୁକୋଣ୍ଡା ସ୍ବାସ୍ଥ୍ଯକେନ୍ଦ୍ରରେ ଝିଅଟିକୁ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଝିଅଟିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ଓର୍କେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ଯବଛେଦ କଲା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)