ସାନଖେମୁଣ୍ଡି, ୨୧/୧୧(ପିପିଟି); ସମ୍ପ୍ରତି ମହାମାରୀ କରୋନା ସାରା ଭାରତ ବର୍ଷରେ ଆତଙ୍କ ଖେଳାଇଥିବାବେଳେ ନିରୀହ ପଶୁପକ୍ଷୀ ମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ିଥିଲା । ହେଲେ କରୋନାକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ପ୍ରାଣୀ ଚିକିତ୍ସକ ମାନେ ପଶୁପକ୍ଷୀ ମାନଙ୍କ ଜୀବନ ରକ୍ଷା କରିଥିଲେ । ହେଲେ ରାଜ୍ୟ ସରକାରଙ୍କ ନଜର ପ୍ରାଣୀ ଚିକିତ୍ସକଙ୍କ ଉପରେ ପଡିନଥିଲା । କରୋନା ଯୋଦ୍ଧା ର ଆଖ୍ୟା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ମିଳିଲା ହେଲେ ପ୍ରାଣୀ ଚିକିତ୍ସକ ଡାକ୍ତରଙ୍କୁ କୌଣସି ସମ୍ମାନ ମିଳିଲା ନାହିଁ ଏବଂ ସମ୍ପୂର୍ଣ ଅଣ ଦେଖା କରାଯାଉଛି । ବ୍ରହ୍ମପୁର ପ୍ରାଣୀ ଚିକିତ୍ସକ ଡା.କିରଣ କୁମାର ବିଶୋୟୀ , ଭୀଷ୍ମଗିରି ପ୍ରାଣୀ ଚିକିତ୍ସକ ଡା.ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ,ଛତ୍ରପୁର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା.ପତିତ ପାବନ ରଥ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ୨୦ ନଭେମ୍ବର ୨୦୨୦ ଠାରୁ ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଅଣଦେଖା କରିବା ପ୍ରତିବାଦରେ ପ୍ରତୀକାତ୍ମକ କଳା ବ୍ୟାଜ୍ ପରିଧାରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରତିବାଦ ୭ ଦିନ ଧରି ଚାଲିବ ଓ ଏଥିରୁ କୌଣସି ସୁଫଳ ନ ମିଳିଲେ ଆସନ୍ତା ୨୭ ନଭେମ୍ବର ୨୦୨୦ ଠାରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ସରକାରଙ୍କ ଦ୍ୱାରା ପରିଚାଳିତ ଅନଲାଇନ ତଥ୍ୟ ଅଦାନ ପ୍ରଦାନ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାନ୍ଦ ରଖାଯିବ । ବହୁ ସମୟ ଧରି ଓଡିଶା ରାଜ୍ୟ ପ୍ରାଣୀ ଚିକିତ୍ସା ସେବା ସଂଘ ସରକାରଙ୍କ ପାଖରେ ବିଭିନ୍ନ ଦାବି କରିଆସିଛି ଯଥା ପ୍ରବେଶ ପଦବୀକୁ କନିଷ୍ଟ ଶ୍ରେଣୀରୁ ପ୍ରଥମ ଶ୍ରେଣୀର ମାନ୍ୟତା ଦେବା , ବିଭାଗକୁ ଜରୁରୀ କାଳିନ ବିଭାଗ ର ମାନ୍ୟତା ଦେଇ ଯଥା ସମ୍ଭବ ମୌଳିକ ଭିତ୍ତିଭୂମି ଯୋଗାଇଦେବା , ଡିଜିଟାଲାଇଜେସନ ସେବା ପ୍ରଦାନ ନିମନ୍ତେ ଅତ୍ୟାଧୁନିକ ଉପକରଣ ତଥା ଡାଟା ଏଣ୍ଟ୍ରି ଅପରେଟର ଯୋଗାଇବା ସହିତ କରୋନା ମହାମାରିର ମୁକାବିଲା ନିମନ୍ତେ କୋଭିଡ଼ ଯୋଦ୍ଧା ମାନ୍ୟତା । ଉକ୍ତ ଦାବି ଗୁଡିକୁ ବହୁଦିନ ଧରି ସରକାର ଅଣଦେଖା କରିବା ସହ ଦିନ କୁ ଦିନ ମାତ୍ରାଧିକ କାର୍ଯ୍ୟଭାର ଲଦିବାରେ ଲାଗିଛନ୍ତି । ଏହି ପ୍ରତିବାଦ ବେଳେ ପ୍ରାଣୀ ଚିକିତ୍ସା ରେ କୌଣସି ଅବହେଳା ନକରି ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ଡା.ରଥ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )