ପ୍ରଶାସନର ପୁଣି ପ୍ରତିଶ୍ରୁତି,ନ୍ୟାଯ୍ୟ ଦାବିରେ ଆଦିବାସୀ ସମାଜ ଅଟଳ, ଧାରଣା ଅବ୍ୟାହତ ।

ଭଞ୍ଜନଗର,୨୭/୦୨(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା,ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ଆଦିବାସୀ ଗ୍ରାମବାସୀଙ୍କ ଅହରାତ୍ର ଗଣଧାରଣା ଆଜି ୨ୟ ଦିନରେ ପହଞ୍ଚିଛି। ବିଭାଗୀୟ ଅଧିକାରୀମାନେ ଆସି ଆଲୋଚନା କରି ପୁଣି ଥରେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ତୁରନ୍ତ ଏ ସମସ୍ୟାର ସମାଧାନ ହେବ କିନ୍ତୁ ଆଦିବାସୀ ସମାଜ ରୋକ ଠୋକ ଶୁଣାଇଛନ୍ତି ଯେ ଆପଣ ପ୍ରଥମେ ଅଞ୍ଚଳ ପରିଦର୍ଶନ କରି ବାସ୍ତବିକ ତଥ୍ୟ ଆକଳନ କରନ୍ତୁ ଏବଂ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସହ କେଉଁ ଦିନ କାମ ଆରମ୍ଭ ହେବ ଲିଖିତ ପ୍ରତିଶୃତି ଦିଅନ୍ତୁ । ଏହି ଲିଖିତ ପ୍ରତିଶୃତି ଆମର ଗ୍ରହଣ ଯୋଗ୍ୟ ହେଲେ ଗଣଧାରଣା ପ୍ରତ୍ୟାହାର ହେବ। ଆଜି ଧାରଣାସ୍ଥଳରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ତଥା ସ୍ବାସ୍ଥ୍ୟ ଅଧିକାର ଆନ୍ଦୋଳନର ଜନପ୍ରିୟ ନେତା ଅବନୀ ଗୟା ମୂଖ୍ୟମନ୍ତ୍ରୀଙ୍କ ଆଦିବାସୀଙ୍କ ପ୍ରତି ହତାଦର ଓ ଭୁଆଁ ବୁଲା ବିକାଶ ନୀତିକୁ କଠୋର ଭାଷାରେ ନିନ୍ଦା କରିଥିଲେ। ରୟତ ପ୍ରଥା ଆନ୍ଦୋଳନର ନେତା ତଥା ଘୁମୁସର ଜିଲ୍ଲା ଆନ୍ଦୋଳନର ନେତା ବର୍ଷୀୟାନ ଆଇନଜୀବୀ ସୋମନାଥ ନାୟକ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ନେତ୍ରୀ ପି ପାର୍ବତୀ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ଆଦିବାସୀ ନେତ୍ରୀ ମଞ୍ଜରୀ ଜାନି, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ରଶ୍ମିତା ମଲ୍ଲିକ, ଯଶୋବନ୍ତ ଜାନି ଆଦି କଡ଼ା ଭାଷାରେ ଆଦିବାସୀ ବିରୋଧୀ ନୀତିର ସମଲୋଚନା କରିଥିଲେ। ୨୦୧୬ ମସିହାରେ ମୌଳିକ ସୁବିଧା ପାଇଁ ଆନ୍ଦୋଳନ ଏବଂ ତାଲଖମଣ ଗାଁ ପାଇଁ ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ନେଇ ପ୍ରତାରଣା କରିବା ଅତ୍ୟନ୍ତ ଦୁଃଖଦାୟକ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖନ୍ଧା ଖୋଳି ହଣ୍ଡା ଲଗାଇ ରୋଷେଇ କରି ଖାଇବା ସହ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ଲଗାଇ ରାତି ବିତାଇଥିଲେ। ସକାଳକାର୍ଯ୍ୟ ସାରି ନାରାବାଜି ଦେଇଥିଲେ। ଭଞ୍ଜନଗର ଇତିହାସରେ ଆଦିବାସୀଙ୍କ ଏଭଳି ଧାରଣା ପ୍ରଥମ ଘଟଣା ଅଟେ। ଶାନ୍ତ ସରଳ ଆଦିବାସୀଙ୍କ ଏଭଳି ଥଣ୍ଡା କାକରରେ ପଡ଼ି ରହିବା ଘଟଣାକୁ ବହୁ ମହଲରେ ନାପସନ୍ଦ କରାଯାଇଛି। ଚକରା ବିଷୋଇ ମାଟିରେ ଯଦି ପ୍ରଶାସନିକ ଏହି ଅବହେଳା ବିରୁଦ୍ଧରେ ଆଦିବାସୀ ମେଳି ବାନ୍ଧିବ ଆଇନଶୃଙ୍ଖଳା ବିପର୍ଯ୍ୟୟ ହେବାର ସମ୍ଭାବନା ରହିବ। ଏଦିଗରେ ବିହୀତ ପଦକ୍ଷେପ ନେଇ ଆଦିବାସୀଙ୍କ ନ୍ୟାଯ୍ୟ ଦାବିକୁ ତୁରନ୍ତ ପୂରଣ କରିବା ପାଇଁ ମତପୋଷଣ କରିଛନ୍ତି। ଏହି ଧାରଣାରେ ଭାଗ୍ୟ ଲତା ଜାନି,ସନାତନ ଜାନି,ପ୍ରଭାତ ଜାନି, ବିକ୍ରମ ମଲ୍ଲିକ,ଅର୍ଜୁନ ମଲ୍ଲିକ,ରଶ୍ମିତା ମଲ୍ଲିକ,ଯଶୋବନ୍ତ ଜାନି,ପ୍ରଭାତ ଜାନି, ମାନି ଜାନି,ଶୁଶାନ୍ତ ମଲ୍ଲିକ,ପ୍ରମୋଦ ମଲ୍ଲିକ ଆଦି ଶତାଧିକ ଧାରଣାରେ ଅଛନ୍ତି। କେତେ ଗ୍ରାମବାସୀ ଗାଁ ଜଗିବା ପାଇଁ ରାତିରେ ଯାଉଛନ୍ତି। ଆସନ୍ତା କାଲି ସୁଦ୍ଧା ଦାବି ପୂରଣ ନହେଲେ ସମସ୍ତ ଆଦିବାସୀଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହେବା ପାଇଁ ଅଭିଯାନ ଆରମ୍ଭ ହେବ ବୋଲି ଆଦିବାସୀ ଭାରତ ମହାସଭାର ନେତା ଟୁନା ମଲ୍ଲିକ କଡ଼ା ଚେତାବନୀ ଦେଇଛନ୍ତି।

Comments (0)
Add Comment