ପ୍ରବଳ ଖରାରେ ଗ୍ରାମାଞ୍ଚଳ ଲୋକଙ୍କ ରୋଜଗାର ଯୋଗାଇଛି ତାଳସଜ ।

ଉଲୁଣ୍ଡା ,୩୧୵୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ପାରଦ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଶାର ଏକ ଉତ୍ତବ ସହର ଭାବେ ଗଣାଯାଉଛି।‌ ଗ୍ରୀଷ୍ମ ପ୍ରକୋପରେ ସମଗ୍ର ଜିଲ୍ଲା କଲବଲ ହେଉଥିବାବେଳେ ଅଂଶୁଘାତରୁ ନିସ୍ତାର ପାଇବା ପାଇଁ ଲୋକେ ଓଦା ଗାମୁଛା ସହ ରାସ୍ତା କଡ଼ରେ ସ୍ଥାନେ ସ୍ଥାନେ ଥିବା ଜଳଛତ୍ର,ଆଖୁ ରସ,ସରବତ ଆଦି ଉପରେ ଭରସା କରୁଥିବା ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଗ୍ରାମବାସୀଙ୍କ ଜୀବିକା ନିର୍ବାହର ମାଧ୍ୟମ ସାଜିଛି ତାଳସଜ। ସ୍ଥାନୀୟ ବୀରମହାରାଜପୁର ଠାରୁ ସୋନପୁର କୁ ଯିବା ବାଟରେ ବିଭିନ୍ନ ଛକ ସ୍ଥାନରେ ବହୁ ଲୋକ ତାଳସଜ ବିକୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ତାଳସଜର ସ୍ଵାଦ ସମସ୍ତଙ୍କ ମନକୁ ଆକର୍ଷିତ କରୁଛି। ରାସ୍ତାରେ ଗଲାବେଳେ ସମସ୍ତ ବାଟୋଇ ତଥା ଗାଡି ଚାଳକ ମାନେ ଅଟକି ଖାଇବାକୁ କିଣୁଥିବା ଦେଖିବାକୁ ମିଳିଛି। ତାଳ ଏମିତି ଏକ ଫଳ ଯାହା ତୁଷାର୍ତ୍ତ ମଣିଷକୁ ଆଶ୍ୱସ୍ତି ଦେଇଥାଏ। ତେଣୁ ତାଳର ଏକ ନିଆରା ଆକର୍ଷଣ ରହିଥିବା ବେଳେ ଗରିବ ପରିବାର ପେଟପାଟଣା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଟାଣ ଖରାରେ ବିକ୍ରି କରି ବେସ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକରେ ଥରେ ମିଳୁଥିବା ତାଳସଜ ଖାଇବାକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ତାଳସଜ ଖାଇବା ଦ୍ବାରା ଶରୀର ଥଣ୍ଡା ରହିବା ସହିତ ପେଟ ସଫା ରହେ ବୋଲି ଲୋକେ କହନ୍ତି। ଏଠାରୁ ବାହାର ଜିଲ୍ଲାକୁ ତାଳ ବିକ୍ରୟ ପାଇଁ ଯାଉଥିବା ବେଳେ ତାଳ ବିକ୍ରେତା ଙ୍କ ରୋଜଗାର ମାଧ୍ୟମ ସାଜିଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment