ଯାଜପୁର,୧୭/୦୯(ପିପିଟି ):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମ ଦିବସକୁ ଉତ୍ସାହ ଓ ଉଦୀପନା ସହ ସାରା ଭାରତ ବର୍ଷରେ ଆଜି ପାଳନ କରାଯାଉଛି । ଏହି ଅବସରରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ଭୂବନେଶ୍ୱରରେ ଆୟୋଜିତ ରକ୍ତଦାନ ଶିବିରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗଦେଇ ରକ୍ତଦାନ କରିଛନ୍ତି । ବିଧାୟକ ଶ୍ରୀ ସାହୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ରକ୍ତଦାତାମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରୁ ନେଇ ଭୁବନେଶ୍ୱରରେ ଆୟୋଜିତ ରକ୍ତଦାନ ଶିବିରରେ ପହଁଚାଇଥିଲେ । ଆଜି ପୁର୍ବାହ୍ନରେ ଧର୍ମଶାଳା ଅଂଚଳର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ରକ୍ତଦାତା ମାନେ ଛତିଆ ନିକଟରେ ଏକତ୍ରିତ ହୋଇ ସେଠାରୁ ଗାଡିରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ସାଧାରଣ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ବିଧାୟକ ଶ୍ରୀ ସାହୁ ନିଜେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ରକ୍ତଦାନ ଶିବିରରେ ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ଠାରୁ ଧର୍ମଶାଳା ନିର୍ବାଚନମଣ୍ଡଳିରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୪୫୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜି ରକ୍ତଦାନ କରିବା ପରେ ବିଧାୟକ ଶ୍ରୀ ସାହୁ ଗୋକର୍ଣେଶ୍ୱର ମନ୍ଦିରରେ ପହଁଚି ଯଶସ୍ୱି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରେ ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ହଜାର ହଜାର କର୍ମୀଙ୍କ ଗହଣରେ ବାବା ଗୋକର୍ଣ୍ଣେଶ୍ୱର ପୀଠରେ ଦିପଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର,ମହିଳା ଅଥଲେଟ ଦୂତି ଚାନ୍ଦଙ୍କ ସମେତ ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ ଯୋଗଦେଇ ଦିପଦାନ କରିଥିଲେ ।