ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ସ୍ୱନିଧି ମହୋତ୍ସବ ।

ଛତ୍ରପୁର,୩୦/୦୬(ପିପିଟି): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସ୍ୱନିଧି ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ସ୍ବନିଧି ରୁ ସମୃଦ୍ଧି ଏକ ବହୁମୁଖୀ ଯୋଜନା ଅଟେ, ଯାହାଦ୍ବାରା ପି.ଏମ୍. ସ୍ବନିଧି ଲାଭାର୍ଥୀ ଏବଂ ତାଙ୍କ ପରିବାର ସଦସ୍ଯ ମାନଙ୍କୁ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ସଶକ୍ତ କରାଯାଇଥାଏ ।

ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, ଗଞ୍ଜାମ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କ୍ଷୁଦ୍ର ବ୍ୟବସାୟୀ ମାନେ ସ୍ୱନିଧି ଯୋଜନାର ସୁବିଧା ସୁଯୋଗ ପାଇପାରିବେ ଓ କିପରି ଲାଭାନ୍ୱିତ ହୋଇପାରିବେ ତାହାକୁ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ୬ ବର୍ଷ ତଳେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛୋଟ ଛୋଟ ଦୋକାନୀଙ୍କ ଶକ୍ତି ବୃଦ୍ଧି ଏବଂ ସେମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସାୟୀ ମାନେ ଯେପରି ସୁବିଧାରେ ଋଣ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ୟାଙ୍କମାନଙ୍କୁ ଅନୁରୋଧ କରିଥିଲେ।

ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ତାଙ୍କ ବକ୍ତବ୍ଯରେ କହିଥିଲେଯେ,ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ମାନେ କିପରି ଲାଭାନ୍ବୀତ ହୋଇ ନିଜ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି ତାହା ବର୍ଣ୍ଣନା କରିଥିଲେ ।
ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ କୋଭିଡ ପରେ ପରେ ଜୀବନ ଜୀବିକା ପାଇଁ ରାସ୍ତାକଡ଼ର ବିକ୍ରେତା ମାନଙ୍କୁ ଋଣ ଦେବା ଆରମ୍ଭ କରାଯାଇଥିଲା। ଆଗାମୀ ଦୁଇ ରୁ ତିନି ମାସ ମଧ୍ୟରେ ୨୫ ରୁ ୩୦ ଜଣଙ୍କୁ ନେଇ ମଡ଼ର୍ଣ୍ଣ ଷ୍ଟ୍ରିଟ ଭେଣ୍ଡିଙ୍ଗ ତିଆରି କରିବା ପାଇଁ ଯୋଜନା କରାଯାଉଛି ବୋଲି ସେ କହିଥିଲେ । ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଅର୍ଥନୀତି ଯେପରି ବୃଦ୍ଧି ହୋଇପାରିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାପାଳ ଶ୍ରୀ ଭାସନ କହିଥିଲେ, “ସ୍ୱନିଧି ଯୋଜନା ଜରିଆରେ ଗଞ୍ଜାମ ଜିଲ୍ଲାର ହଜାର ହଜାର ପଥ ବିକ୍ରେତା ସ୍ୱଳ୍ପ ସୁଧରେ ଋଣ ପାଇ ନିଜ ବ୍ୟବସାୟକୁ ପୁନଃ ଆରମ୍ଭ କରିବା ସହ ଡିଜିଟାଲ୍ ଲେଣଦେଣ ସହ ଯୋଡି ହୋଇପାରିଛନ୍ତି। ଏହା ଆତ୍ମନିର୍ଭର ଭାରତର ମୂଳମନ୍ତ୍ରକୁ ସାକାର କରୁଛି।”

ପଥ ବିକ୍ରେତାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ୨୦୨୦ ଜୁନ୍ ୧ ରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନାର ସଫଳତା ଓ ଉପଲବ୍ଧି ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଯୋଜନାର ମୋଟ ୩୪ଜଣ ସଫଳ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା। ସେଥି ମଧ୍ଯରୁ ୧୮ ଜଣଙ୍କୁ ପ୍ରଥମ କିସ୍ତି ଋଣ ହିସାବରେ ୧୫ ହଜାର ଟଙ୍କା ଲେଖାଏଁ, ଦ୍ବିତୀୟ କିସ୍ତି ଋଣ ହିସାବରେ ୧୪ ଜଣଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଓ ତୃତୀୟ କିସ୍ତି ଋଣ ୨ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହିତ ଗୋଟିଏ ମହିଳା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ କ୍ରେଡିଟ୍ କାର୍ଡର ସୁବିଧା ମଧ୍ଯ ପ୍ରଦାନ କରାଯାଇଥିଲା । ଏହା ସହ ଡିଜିଟାଲ୍ ପେମେଣ୍ଟ, ଋଣ ପରିଶୋଧ ଓ ପରବର୍ତ୍ତୀ କିସ୍ତି ପାଇବା ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ଯ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ / ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ ବହୁ ସଂଖ୍ୟାରେ ପଥ ବିକ୍ରେତା ଉପସ୍ଥିତ ଥିଲେ।

ଛତ୍ରପୁର ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଧନ୍ଯବାଦ ଅର୍ପଣ କରିଥିଲେ ।

Comments (0)
Add Comment