ଭୁବନେଶ୍ୱର, ୦୭/୦୬(ପିପିଟି): ଓଡ଼ିଶାରେ ଏକ ସୁସ୍ଥ, ସବୁଜ ଏବଂ ଫିଟ୍ ଓଡ଼ିଶାର ପରିକଳ୍ପନାକୁ ସୁଦୃଢ଼ କରିବା ପାଇଁ ‘ସାଇକେଲରେ ରବିବାର’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଫିଟ୍ ଓଡ଼ିଶା’ ଅଭିଯାନ ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ଶୋଭାଯାତ୍ରା ଡୁମୁଡୁମା ଛକରୁ ବାହାରି କିଡ୍ସ ହସ୍ପିଟାଲ ଦେଇ ଆମ୍ବେଦକର ଶିକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା। ସମୁଦାୟ ୩.୫ କିଲୋମିଟର ପରିମିତ ରାସ୍ତାରେ ଏହି ସାଇକେଲ ରାଲି ଆୟୋଜିତ ହୋଇଥିଲା।
‘ସାଇକେଲରେ ରବିବାର’ କେବଳ ଏକ ସାଇକେଲ୍ ଚାଳନା କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ‘ଫିଟ୍ ଇଣ୍ଡିଆ ମିଶନ’ ଅଧୀନରେ ଏକ ଦେଶବ୍ୟାପୀ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଆନ୍ଦୋଳନ। ‘ସାଇକେଲରେ ରବିବାର’ ଭଳି ଅଭିଯାନ ମାଧ୍ୟମରେ ଓଡ଼ିଶା ସରକାର ନାଗରିକମାନଙ୍କୁ ପେଟ୍ରୋଲ ଓ ଡିଜେଲ ଚାଳିତ ପରିବହନ ଉପରେ ନିର୍ଭରଶୀଳତା କମାଇବା, ମିତବ୍ୟୟିତା ଆପଣାଇବା ଏବଂ ଏକ ସ୍ୱଚ୍ଛ, ପ୍ରଦୂଷଣମୁକ୍ତ ଓ ସବୁଜ ପରିବେଶ ଗଠନରେ ଯୋଗଦାନ ଦେବା ପାଇଁ କ୍ରମାଗତ ଭାବେ ପ୍ରୋତ୍ସାହିତ କରୁଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍ ଇଣ୍ଡିଆ’ ସହ ତାଳ ମିଲାଇ ଥିବାରୁ ସମର୍ଥିତ ଫିଟନେସ୍, ସ୍ଥାୟୀତ୍ୱ ଏବଂ ପରିବେଶ ପରିଚାଳନାଗତ ମୂଲ୍ୟବୋଧକୁ ସଂପୂର୍ଣ୍ଣ ଭାବେ ପ୍ରତିଫଳିତ କରୁଥିବାରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍ )ର ଯୁଗ୍ମ କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ରୁଦ୍ରକେଶ ଜେନାଙ୍କୁ କ୍ରୀଡା ମନ୍ତ୍ରୀ ସମ୍ବର୍ଦ୍ଧିତ କରି ତା ସହ ତାଙ୍କୁ ଏକ ସମ୍ମାନଜନକ ସ୍ୱୀକୃତି ମଧ୍ୟ ପ୍ରଦାନ କରିଥିଲେ ।
ଏହି ସାଇକେଲ ଶୋଭାଯାତ୍ରାରେ ସି.ଆଇ.ଏସ୍.ଏଫ୍. (CISF), ସି.ଆର୍.ପି.ଏଫ୍. (CRPF), ମାଇଁ ଭାରତ (MY Bharat), ଏନ୍.ଏସ୍.ଏସ୍. (NSS) ଓଡ଼ିଶାର ସ୍ୱେଚ୍ଛାସେବୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ସ୍ବେଛା ସେବକମାନେ ବିଶିଷ୍ଟ କ୍ରୀଡ଼ାବିତ୍, ସାଇକେଲ ଚାଳନାର ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ଯୁବପିଢ଼ି, ସ୍ୱାସ୍ଥ୍ୟ ସଚେତନ ନାଗରିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସାଇକେଲ ଚାଳନା ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, ପରିବେଶ ସଚେତନତା ଏବଂ ଗୋଷ୍ଠୀଗତ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇଥିଲେ, ଯାହା ସମଗ୍ର ସମାଜ ପାଇଁ ଏକ ଅପୂର୍ବ ପ୍ରେରଣା ସୃଷ୍ଟି କରିଛି।
ଏହି ସ୍ପେଶାଲ ରାଇଡ୍ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା, ବିଜୟ କୁମାର ସ୍ୱାଇଁ ଓ ସୁଧାକର ନାୟକଙ୍କ ସମେତ ଚିନ୍ତନ ଶିବିରରେ ଯୋଗଦେଇଥିବା ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର , ପ୍ଲେଟ୍ରୋଇଟ୍ ଡକ୍ଟର ସଞ୍ଜନା କିରନ୍ ଏବଂ ଅନ୍ୟାନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଏହାସହିତ ଚିନ୍ତନ ଶିବିରରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି ସାଇକେଲ ରାଲିରେ ସାମିଲ ହୋଇଥିଲେ।