“ପ୍ରତ୍ୟେକ ଶିଶୁର କଥା ଶୁଣିବା, ସୁରକ୍ଷା ଓ ନ୍ୟାୟ ଦେବା ଏକ ସାମୂହିକ ଦାୟିତ୍ୱ”: ଜିଲ୍ଲା ଜଜ୍ ।

ବ୍ରହ୍ମପୁର,୧୨/୦୮(ପିପିଟି): କିଶୋର ନ୍ୟାୟ ବ୍ୟବସ୍ଥାର ଗତ ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ, ଉପଲବ୍ଧି ଓ ଆହ୍ୱାନ ସମୀକ୍ଷା କରିବା ସହ ଏହାକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ ଓ ଶିଶୁ-ଅନୁକୂଳ କରିବା ନେଇ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ବ୍ରହ୍ମପୁର ସିଭିଲ୍ କୋର୍ଟ ପରିସରସ୍ଥିତ ଆଞ୍ଚଳିକ ନ୍ୟାୟିକ ଏକାଡେମୀଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।

“କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫: ଏକ ଦଶନ୍ଧିର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଆଲୋଚନାଚକ୍ରରେ ଶିଶୁ ସୁରକ୍ଷା, ଅଧିକାର, ଆଇନଗତ ସହାୟତା, ପୁନର୍ବାସ ଓ ଶିଶୁ-ହିତୈଷୀ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ମତବିନିମୟ ହୋଇଥିଲା ।

ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସ କହିଥିଲେ ଯେ, ପ୍ରତ୍ୟେକ ଶିଶୁର କଥାକୁ ସମ୍ବେଦନଶୀଳତାର ସହ ଶୁଣିବା, ତା’ର ଅଧିକାର ଓ ସମସ୍ୟାକୁ ଗୁରୁତ୍ୱ ଦେବା ଏବଂ କୌଣସି ଶିଶୁ ଯେପରି ସୁରକ୍ଷା ଓ ନ୍ୟାୟରୁ ବଞ୍ଚିତ ନହୁଏ, ତାହା ସୁନିଶ୍ଚିତ କରିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଶିଶୁର ସର୍ବୋତ୍ତମ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ ଓ ଶିଶୁ-ଅନୁକୂଳ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, ଶିଶୁମାନଙ୍କ ସୁରକ୍ଷା, ଅଧିକାର, ମର୍ଯ୍ୟାଦା ଓ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ନିରନ୍ତର କାର୍ଯ୍ୟ କରିଆସୁଛି। ବାସ୍ତବ ଜୀବନର ବିଭିନ୍ନ ଜଟିଳ ପରିସ୍ଥିତିରେ ଆଇନର ବ୍ୟବସ୍ଥା ସହ ନିଜସ୍ୱ ବିବେକ,ସମ୍ବେଦନଶୀଳତା ଓ ମାନବିକ ଦୃଷ୍ଟିକୋଣର ସମନ୍ୱୟ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ବାର୍ ଆସୋସିଏସନ୍ ସଭାପତି ସୀତାଂଶୁ ଶେଖର ପଣ୍ଡା, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସଦସ୍ୟ ଡଃ ଅଳକା ରଥ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ, ବିଏମ୍‌ସି ଉପ-ଆୟୁକ୍ତ କଲ୍ୟାଣୀ ସଂଘମିତ୍ରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ଦାସ, ସି.ଡବ୍ଲ୍ୟୁ.ସି., ଗଞ୍ଜାମର ଅଧ୍ୟକ୍ଷ ଟି. ସୁଶାନ୍ତ ଓ ଡି.ସି.ପି.ଓ. ରାଜଶ୍ରୀ ଦାସ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ କିଶୋର ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଆଲୋଚନାଚକ୍ରରେ ନ୍ୟାୟିକ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ, ପୁଲିସ, ଆଇନସେବା ସଂସ୍ଥା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ମାଧ୍ୟମରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସୌଦାମିନୀ ସିଂହ,ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ, ବ୍ରହ୍ମପୁରଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଶତାଧିକ ବିଚାର ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଆଇନଜୀବୀ ଓ ବିଭିନ୍ନ କମିଟିର ସଦସ୍ୟ ଯୋଗଦେଇଥିଲେ ।

Comments (0)
Add Comment