ପ୍ରତିଷ୍ଠା ଦିବାସରେ ଭାଜପା ଛାଡିଲେ ହିଞ୍ଜିଳିର ବରିଷ୍ଠ ନେତା ଦେବାନନ୍ଦ ।

ବ୍ରହ୍ମପୁର,୦୬/୦୪(ପିପିଟି): ଭାରତୀୟ ଜନତା ପାର୍ଟିର ଆଜି ହେଉଛି ପ୍ରତିଷ୍ଠା ଦିବସ । କିନ୍ତୁ ହିଞ୍ଜିଳିରୁ ଭାଜପା କୁ ଏକ ଶକ୍ତ ଧକ୍କା ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ହିଞ୍ଜିଳି ଫାଇର ଷ୍ଟେସନ ନିକଟରେ ଥିବା ଭାରତୀୟ ଜନତା ପାର୍ଟି ଅଫିସ ରେ ଆଜି ପ୍ରତିଷ୍ଠା ଦିବସ ବେଶ ଧୁମଧାମରେ ପାଳନ ହେଉଥିବା ଦେଖିବାକୁ ମିଳିଥିବାବେଳେ, ଅନ୍ୟପକ୍ଷରେ ହିଞ୍ଜିଳି ଭାଜପା ର ଜଣେ ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ଆଜି ଦଳ ଛାଡିଥିବା ଏକ ପ୍ରେସବିବୃତି ରେ ପ୍ରକାଶ କରିଛନ୍ତି । ଦେବାନନ୍ଦ ମହାପାତ୍ର ୧୯୮୮ରୁ ଭାଜପାର ସଦସ୍ୟ ଥିଲେ । ହିଞ୍ଜିଳି ଏନ.ଏ.ସି କାଉନସିଲର ଠାରୁ ଆରମ୍ଭ କରି ମଣ୍ଡଳ ସଭାପତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ଉପସଭାପତି ଆଦି ବହୁ ଗୁରୁ ଦାୟିତ୍ୱରେ ଥିଲେ। ୨୦୦୯ ଓ ୨୦୧୪ ରେ ଭାଜପାରୁ ହିଞ୍ଜିଳି ବିଧାନସଭା ନିମନ୍ତେ ପ୍ରାର୍ଥୀ ରହି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼େଇ କରିଥିଲେ। ରାଜ୍ୟ ଭାଜପା ବ୍ୟକ୍ତି କୈନ୍ଦ୍ରିକ ହେବା ସହ ଶୀର୍ଷସ୍ତରୀୟ ନେତାଙ୍କ ଏକଛତ୍ରବାଦ ନୀତି, ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ହତାଦର, ସଙ୍ଗଠନ ବିରୋଧୀ ଓ ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ମହାପାତ୍ର ଅଭିଯୋଗ କରିଛନ୍ତି। ମହିଳା ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅସମ୍ମାନ ଓ ଅପମାନିତ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଏହି ଅବସରରେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦାନ ନେଇ ସେ ସ୍ପଷ୍ଟ କରିନାହାଁନ୍ତି ବରଂ ଲୋକଙ୍କ ସେବା ଓ ସାମାଜିକ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

Comments (0)
Add Comment