ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନୋସ୍ମିତା ମହାରଣାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ବେଗୁନିଆ,୦୧/୧୧(ପିପିଟି) ରାଜ୍ୟ ପ୍ରଶାସନିକା ସେବା (ଓଏଏସ) ପରୀକ୍ଷାରେ ଗଡ଼ମାଣତୀର ଗ୍ରାମର ଝିଅ ମନୋସ୍ମିତା ମହାରଣା କୃତକାର୍ଯ୍ୟ ହୋଇଛନ୍ତି । ମନୋସ୍ମିତା ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମର ବସନ୍ତ କୁମାର ମହାରଣାଙ୍କ ଝିଅ । ମନୋସ୍ମିତାଙ୍କ ବାପା ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ମା ଗୃହିଣୀ ଅଟନ୍ତି । ମନୋସ୍ମିତା ନିଜର କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ଗଡ଼ମାଣତୀର ସମେତ ବେଗୁନିଆ ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜର ଏହି ସଫଳତା ପାଇଁ ପରିବାରବର୍ଗ ଏବଂ ଗୁରୁଜନ ମାନଙ୍କୁ ସେ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ଆଜି ତାଙ୍କୁ ଗଡ଼ମାଣତୀର ଗ୍ରାମର ପ୍ରତିଭା ସାହିତ୍ୟ ସଂସଦ ତରଫରୁ ଏକ ସଭା ଡକାଯାଇ ମନୋସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ ସଭାକୁ ପରିଚାଳନା କରିଥିଲେ ପ୍ରତିଭା ସାହିତ୍ୟ ସଂସଦର ଉପସଭାପତି ଜମ୍ବେଶ୍ୱର କହଲସିଂହ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜ , ଉପଢୌକନ ଦେଇ ମନୋସ୍ମିତାଙ୍କୁ ସ୍ୱାଗତ କରିଥିଲେ ପ୍ରତିଭା ସାହିତ୍ୟ ସଂସଦ ର ସଭାପତି ବଳରାମ ରଣସିଂହ । ଏହି ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ଗୋଦାବରୀଶ ପାଇକରାୟ , ନାରାୟଣ ମୁଦୁଲି , ବନବିହାରି ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ରାଉତରାୟ , ଅଭିମନ୍ୟୁ ମହାରଣା , ଟୁକୁନା ଅଧିକାରୀ ଏବଂ ଗଡ଼ମାଣତୀର ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଭା ଶେଷରେ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment