ମାଲକାନଗିରି ,୨୦/୦୪(ପିପିଟି) : ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ଠ ପ୍ରବାହ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲାବାସୀ ଅତିଷ୍ଟ ହୋଇପଡ଼ିଛନ୍ତି। ଜିଲ୍ଲାର ୭ ଗୋଟି ବ୍ଲକରେ ପାନୀୟ ଜଳ ସଙ୍କଟ ଉଦବେଗ ଜନକ । ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ବିଭାଗ ପକ୍ଷରୁ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସଫେଇ ଦିଆଯାଉଛି । ଏଣେ କାଗଜ କଲମରେ ପାନୀୟ ଜଳ ପ୍ରକଳ୍ପରେ ଫିଗର ଦେଖାଇ ଉପରସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟ କରାଯାଉଛି । କିନ୍ତୁ କ୍ଷେତ୍ର ପ୍ରଦର୍ଶନ ବାସ୍ତବ ସ୍ଥିତି ଓଲଟା। ଏହାକୁ ନେଇ ଲୋକେ ବିଭିନ୍ନ ସମୟରେ ପାଣି ପାଇଁ ରାସ୍ତାରୋକ କରିବା ସହିତ ଆନ୍ଦୋଳନାତ୍ମକ ପନ୍ଥାକୁ ଅବଲମ୍ବନ କରୁଛନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକର ୨୩ଟି ପଞ୍ଚାୟତରେ ୧,୩୦,୯୪୬ ଲୋକ ରହିଥିବା ବେଳେ ୨୫୬୭ଟି ନଳକୂପ ଓ କୂପ ରହିଛି। ଏଥିସହ ୭୬ଟି ପାଇପ୍ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଏବଂ ୭୮ ଟି ସୋଲାର ପ୍ରକଳ୍ପ ରହିଛି । ସେହିପରି ଚିତ୍ରକୋଣ୍ଡା ବ୍ଳକର ୧୮ଟି ପଞ୍ଚାୟତରେ ୫୯,୮୫୭ ଲୋକଙ୍କ ପାଇଁ ମୋଟ ୧୯୨୧ଟି ନଳକୂପ ଓ କୂପ ରହିଥିବା ବେଳେ ୫୨ଟି ସ୍ଥାନରେ ପାଇପ୍ ଯୋଗେ ପାଣି ଯୋଗାଣ ଏବଂ ୩୧ଟି ସ୍ଥାନରେ ସୋଲାର ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଣ ହେଉଛି। ଖଇରପୁଟ ବ୍ଲକର ୧୧ଟି ପଞ୍ଚାୟତରେ ୫୭,୩୭୦ ଲୋକଙ୍କ ପାଇଁ ୧୫୩୫ଟି ନଳକୂପ ଓ କୂପ ରହିଥିବା ବେଳେ ପାଇପ୍ ଯୋଗେ ୭୮ଟି ଗାଁକୁ ପାଣି ଯୋଗାଇ ଦିଆଯାଉଛି । ଏଥିସହ ସୋଲାର ପ୍ରକଳ୍ପ ମାଧ୍ୟମରେ ୪୪ଟି ସ୍ଥାନରେ ଜଳ ଯୋଗାଣ ହେଉଛି।
କୋରୁକୋଣ୍ଡା ବ୍ଳକର ୧୨ଟି ପଞ୍ଚାୟତରେ ୭୩,୮୮୩ ଲୋକଙ୍କ ପାଇଁ ୧୪୯୩ଟି ନଳକୂପ ଓ କୂପ ରହିଛି। ଏଥିସହ ପାଇପ୍ ଯୋଗେ ୪୨ଟି ସ୍ଥାନରେ ଏବଂ ସୋଲାର ପ୍ରକଳ୍ପ ମାଧ୍ୟମରେ ୫୪ଟି ସ୍ଥାନରେ ଜଳ ଯୋଗାଣ ହେଉଛି | ମାଲକାନଗିରି ବ୍ଲକରେ ୧୯ଟି ପଞ୍ଚାୟତରେ ୧,୦୨,୧୨୧ ଲୋକଙ୍କ ପାଇଁ ୨୨୯୫ ଟି ନଳକୂପ ଓ କୂପ ରହିଥିବା ବେଳେ ୫୩ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଏଥିସହ ୯୦ଟି ସ୍ଥାନରେ ସୋଲାର ପ୍ରକଳ୍ପ ରହିଛି । ମାଥିଲି ବ୍ଳକର ୨୦ ଟି ପଞ୍ଚାୟତରେ ୯୬୪୮୬ ଲୋକଙ୍କ ପାଇଁ ୨୬୬୧ଟି ନଳକୂପ ଓ କୂପ ରହିଥିବା ବେଳେ ୪୫ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ୯୭ ଟି ସୋଲାର ପ୍ରକଳ୍ପ ରହିଛି | ପଡିଆ ବ୍ଳକରେ ୮ ଟି ପଞ୍ଚାୟତରେ ୪୩,୧୯୨ ଲୋକଙ୍କ ପାଇଁ ୧୦୭୫ଟି ନଳକୂପ, ୧୮ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ୪୦ଟି ସୋଲାର ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ହେଉଥିବା କୁହାଯାଇଛି । କିନ୍ତୁ ପ୍ରକୃତ ସ୍ଥିତି ଓଲଟା ରହିଛି। ଜିଲ୍ଲାରେ ଅର୍ଦ୍ଧାଧିକ ଜଳ ଉତ୍ସ ଗୁଡ଼ିକ ଖରାପ ହୋଇ ପଡ଼ିଛି। ଏହାର ମରାମତି କରାଯାଉ ନଥିବାରୁ ଲୋକେ ସକାଳ ପାହିଲେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲୁଛନ୍ତି ।
ଝରଣା ଓ ନଦୀରୁ ଛୁଆ କରି ଦୂଷଣ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଲୋକେ ପାଣି ପାଇଁ ରାସ୍ତାରୋକ ସହ ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣଇ ନେଇଛନ୍ତି।ଅନ୍ଯ ପକ୍ଷ ରେ ପ୍ରଶାସନ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)