ପୌର ବିଭାଗରେ କାର୍ଯ୍ୟରତ ସ୍ୱଚ୍ଛସାଥି, ସୁପରଭାଇଜର ଓ ଅନ୍ୟ ମିଶନ ଶକ୍ତି କର୍ମଚାରୀ ମାନେ ଆରଡିସିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ।

ବ୍ରହ୍ମପୁର,୧୪/୦୨(ପୁପିଟି): ଗ୍ରାମାଞ୍ଚଳ ଭଳି ସହରାଞ୍ଚଳର ମିଶନଶକ୍ତି ମହିଳାମାନଙ୍କୁ ସ୍ୱଵଲମ୍ବୀ ଓ ରୋଜଗାରକ୍ଷମ କରାଇବା ପାଇଁ ସହରାଞ୍ଚଳର ମହାନଗର ନିଗମ, ପୌର ପାଳିକା ଓ ଏନ୍ଏସି ମାନଙ୍କରେ ପରିମଳ କାର୍ଯ୍ୟ ଓ ଅନ୍ୟାନ୍ୟ କାମ ପାଇଁ ଶିକ୍ଷିତ ମହିଳାମାନଙ୍କୁ ସ୍ୱଚ୍ଛସାଥି ଓ ସୁପରଭାଇଜର ଭାବେ ନିଯୁକ୍ତି ପାଇଥିଲେ । ଉଭୟ ଅନଲାଇନ୍ ଓ ଅଫଲାଇନ୍ ଜରିଆରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଏହି ସ୍ୱଚ୍ଛସାଥି ଓ ସୁପରଭାଇଜରମାନଙ୍କୁ ଯଥାକ୍ରମେ ମାସିକ ୪୦୦୦ ଟଙ୍କା ଓ ୮୦୦୦ ଟଙ୍କା ଦରମା ଦିଆଯାଉଥିଲା । ନିଜର କାମ ତୁଳନାରେ ସ୍ଵଳ୍ପ ଦରମା ପାଉଥିବା ଏହି କର୍ମଚାରୀମାନଙ୍କୁ ଗତ ସରକାରଙ୍କ ଶେଷ ଆଡକୁ ଯଥାକ୍ରମେ ୮ ହଜାର ଓ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ନୂଆ ସରକାର ଏହାକୁ ଲାଗୁ କରିବା ପରିବର୍ତ୍ତେ ଯେଉଁ ସର୍ତ୍ତ ସବୁ ଲଗାଇଛନ୍ତି, ସେଥିରେ ଏହି କର୍ମଚାରୀମାନେ ନିଜର ପୂର୍ବ ଦରମା ପାଇବା ବି କଷ୍ଟକର ହେଉଛି । ଓଲଟା ସେମାନଙ୍କ ଉପରେ ଗାଇଡଲାଇନ୍ ନାଁରେ ଅନେକ କଟକଣା ଲଗେଇ ଛଟେଇ କରିବାର ମସୁଧା କରୁଥିବା ଜଣାପଡିଛି ।

ସେହିପରି ସହରାଞ୍ଚଳର ୱାର୍ଡ ସ୍ତରରେ ଓ୍ଵାର୍ଡ ଅଫିସ୍ ଖୋଲାଯାଇ ବିଭିନ୍ନ ନାଗରିକ ସୁବିଧା ଯୋଗାଇଦେବା ପାଇଁ ଗତ ସରକାର ସମୟରେ ଓ୍ଵାର୍ଡ କ୍ଵାର୍ଡିନେଟରମାନଙ୍କୁ ଚୟନ କରାଯାଇଥିଲା । ଗତ ଦୁଇ ବର୍ଷ ହେଲା ସେମାନଙ୍କୁ ଚୟନ କରାଯାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ନିଯୁକ୍ତି ଦିଆଯାଇନି । ପୌର ସଂସ୍ଥାମାନଙ୍କରେ କାର୍ଯ୍ୟରତ ନିୟମିତ କର୍ମଚାରୀମାନେ ଅବସର ନେଇ ସାରିଥିବା ବେଳେ ସରକାର ସେମାନଙ୍କ କାମ କରିବାକୁ ୱାର୍ଡ କ୍ଵାର୍ଡିନେଟରମାନଙ୍କୁ ନିଯୁକ୍ତି ନଦେବା ଫଳରେ ପୌରସଂସ୍ଥାମାନଙ୍କ କାମ ପ୍ରଭାବିତ ହେଉଛି । ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନଙ୍କ ସହ ଆଲୋଚନା କରାଯାଇଥିଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ଉଭୟ କର୍ମଚାରୀଙ୍କ ସଂଘ ପକ୍ଷରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କୁ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଆଜି ସଙ୍ଘର କର୍ମକର୍ତ୍ତା ମାନେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ମାଧ୍ୟମ ରେ ଦାବିପତ୍ର ଦେବା ସହ ଦାବୀ ପୁରଣ ପାଇଁ କୌଣସି ପଦକ୍ଷେପ ନ ନେଲେ ଆସନ୍ତା ୧୭ ଫେବୃଆରୀରୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ କର୍ପୋରେସନ,ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦାବୀ ଗୁଡିକ ମଧ୍ୟରେ ୱାର୍ଡ କୋରଡିନେଟର ମାନଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା,ସମସ୍ତ ଏଭଳି ମିଶନ ଶକ୍ତି କର୍ମଚାରୀ ମାନଙ୍କୁ ଶ୍ରମ ଆଇନ ଭିତରେ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ପ୍ରଦାନ,କଟକଣା ଉଠାଇ ପୂର୍ବ ସରକାରଙ୍କ ଦ୍ୱାରା ଲାଗୁ କରିଥିବା ଦରମା ପ୍ରଦାନ ଭଳି ପ୍ରମୁଖ ଦାବୀ ଗୁଡିକ ଉଠାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ସଂଯୁକ୍ତା ଦାସ,ବି. ସଂଗୀତା ରାଓ,ମିତା ପାଢ଼ୀ,ସସ୍ମିତା ଦାସ,ମାମାଲି ଦାସ ସୁଧାଦେବୀ,ବନିତା ଡାକୁଆ, ସଂଯୁକ୍ତା ସେଠୀ,ପୁଷ୍ପାଞ୍ଜଳି ଦାସ,ପ୍ରମଦା ପାଳ,ରଶ୍ମି ଦୋରା,ରଶ୍ମିତା ପାଳ,ମମତା ପଟ୍ଟନାୟକ,ସଂଗୀତା ଦାସ,ମଞ୍ଜରୀ ପଟ୍ଟନାୟକ,କୁନି ବେହେରା ସିମ୍ରନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment