ମାଲକାନଗିରି,୧୩/୦୫(ପିପିଟି): ସାଧାରଣ ଜନତାଙ୍କ ଶୋଷ ମେଣ୍ଟେଇବା ନିମନ୍ତେ ସରକାରୀ ସ୍ତରରେ ଜଳ ଯୋଗାଣର ଅନେକ ଯୋଜନା ରହିଛି । କିନ୍ତୁ ମାଲକାନଗିରି ଜିଲ୍ଲାରେ ତାହା କେବଳ ନଥିପତ୍ର ଭିତରେ ହିଁ ସୀମିତ ରହିଯାଇଛି । ଆଜି ଆମେ ଯେଉଁ ଜଳ କଷ୍ଟ ର ଚିତ୍ର ଆପଣଙ୍କ ସମ୍ମୁଖରେ ରଖୁଛୁ ତାହା କୌଣସି ଉପାନ୍ତ ଇଲାକାର ନୁହଁ । ତାହା ସଦର ମହକୁମା ଠାରେ ମୁନ୍ଦେ ଜଳ ପାଇଁ ନିର୍ଭର କରୁଛନ୍ତି ଅପରିଷ୍କାର ଗଡ଼ିଆ ପାଣି ଉପରେ । ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କେତେ କଣ ଯୋଜନା କରିଛନ୍ତି ରାଜ୍ୟ ସରକାର । ବସୁଧା ଯୋଜନା ମାଧ୍ୟମରେ ଘରେ ଘରେ ଜଳ ଯୋଗାଣ କରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ବି ଗାଡ଼ିଆ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲୋକେ ପାନୀୟ ଜଳ ତଥା ବ୍ୟବହାର ନିମନ୍ତେ ନଦୀ ନାଳ ରେ ଚୁଆ କରି ବ୍ୟବହାର କରୁଥିବାର ଦୃଶ୍ୟ ବହୁ ଜାଗାରେ ରହିଛି । ସଦର ମହକୁମା ସ୍ଥିତ ତାରିଣୀ ମନ୍ଦିର ନିକଟରେ ଦୀର୍ଘ ଦିନ ହେବ ଲୋକେ ଚୁଆପାଣି ବ୍ୟବହାର କରୁଛନ୍ତି ଯାହାଫଳରେ ନାନା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏଥିନେଇ ବାରମ୍ପାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାହି ବାସିନ୍ଦା । କିନ୍ତୁ ବିଭିନ୍ନ ବାହାନା ଦେଖାଇ ଲୋକଙ୍କ ସମସ୍ୟାକୁ ବିଭାଗୀୟ ଅଧିକାରୀ ମାନେ ଏଡାଇ ଦେଇ ଚାଲୁଥିବା ଦେଖିବାକୁ ମିଳିଛି । ନିକଟ ଅତୀତରେ ପୌର ନିର୍ବାଚନ ସରିଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମାନେ ପୁଳା ପୁଳା ପ୍ରତିଶ୍ରୁତି ଦେଇଥିଲେ । ଏବେ ସବୁ ସତେ ଯେମିତି ଏହି ନିରୀହ ଖଟିଖିଆଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କାଳ ବୈଶାଖୀ ଝଡ଼ ଉଡାଇ ନେଇଛି । ବସ୍ତିରେ ବାସ କରୁଥିବା ୫୦ ପରିବାର ସମସ୍ତେ ଦିନ ମଜୁରିଆ ଶ୍ରେଣୀର । ଏଠାରେ ଗୋଟିଏ ହିଁ ନଳକୂପ ରହିଛି । କିନ୍ତୁ ସେଠାରୁ ବାହାରୁଥିବା ପାଣି ବ୍ୟବହାର ଯୋଗ୍ୟ ହେଇପାରୁନି । ସେଥିପାଇଁ ଲୋକେ ପାହାଡ଼ ତଳେ ଏକ ଚୁଆ ଖୋଳି ବର୍ଷସାରା ସେଇ ପାଣି ବ୍ୟବହାର କରୁଛନ୍ତି । ଫଳରେ ବିଭିନ୍ନ ରୋଗ ବ୍ୟାଧିରେ ପୀଡିତ ହେଉଛନ୍ତି । ଏଥି ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖୀୟାଙ୍କ ନଜରକୁ ଆଣିଲେ ବି କୌଣସି ସୁଫଳ ମିଳି ପାରିନାହିଁ । ଏଣୁ ଗଣମାଧ୍ୟମ ଆଗରେ ଏହି ନିରୀହ ଖଟିଖିଆ ଲୋକେ ପାଣି ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରୁଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)