ପୋଲ ନହେଲେ ମନ୍ତ୍ରୀଙ୍କୁ ବିରୋଧ ।

ଭବାନୀପାଟଣା,୧୨/୦୫(ପିପିଟି ): ତୁର୍କେଲ ନିକଟରେ ତେଲ ନଦୀ ପୋଲ ଦେଇ ଯାତାୟାତ ବନ୍ଦ ଥିବାରୁ କଳାହାଣ୍ଡି ଏବଂ ନୂଆପଡା ଜିଲା ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି। ଉଭୟ ଜିଲାବାସି ଙ୍କ ମଧ୍ୟରେ ସାମାଜିକ ଏବଂ ଅର୍ଥନୈତିକ ସମ୍ପର୍କ ଭୁଶୁଡ଼ିବାକୁ ଯାଉଛି। ପୋଲକୁ ସିଲ୍ କରିଦେଇ ପ୍ରଶାସନ ହାତରେ ହାତ ବାନ୍ଧି ବସିଛି। ରାଜ୍ୟ ସରକାର ମଧ୍ୟ କିଛି ସ୍ପଷ୍ଟ କରୁ ନାହାନ୍ତି। ଏଣୁ ତୁରନ୍ତ ପୋଲ ମରାମତି କିମ୍ବା ନିର୍ମାଣ କରାନଗଲେ କଳାହାଣ୍ଡିରେ ରାଜ୍ୟର ମନ୍ତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ କରିବାକୁ ଦିଆଯିବ ନାହିଁ। ସମସ୍ତ ମନ୍ତ୍ରୀଙ୍କୁ ଘେରାଓ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ପ୍ରାୟ ୭ ମାସ ଧରି ଏହି ପୋଲ ଦେଇ ଯାତାୟାତ ବନ୍ଦ ରହିଛି। ଏଣୁ ପୋଲ ମରାମତି କିମ୍ବା ନିର୍ମାଣ ପାଇଁ କଂଗ୍ରେସ ଜିଦ୍ ଧରି ବସିଛି। ପୂର୍ବରୁ ତୁର୍କେଲ ନିକଟରେ କଂଗେସ କର୍ମୀ ମାନେ ପ୍ରାୟ ୧୧ ଦିନ ଧରି ଧାରଣା ଦେଇଥିଲେ। ତେବେ ପ୍ରଶାସନିକ ପ୍ରତିଶ୍ରୁତି ପରେ ଓହରି ଯାଇଥିଲେ। ଏବେ ସେଇ ସମାନ ଦାବିରେ ଗତ ୨୭ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟଳୟ ଆଗରେ କଂଗ୍ରେସ ପକ୍ଷରୁ ଦିବାରାତ୍ରି ଗଣଧାରଣା ଦିଆଯାଉଛି। ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ଚାଲିଥିବା ଏହି ଧାରଣାରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ସାମିଲ ହେଇଥିଲେ। ବିକାଶର ଦ୍ବାହି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ଯଦି ୧୭ କୋଟି ଟଙ୍କାର ପୋଲ ନିର୍ମାଣ କରିପାରୁ ନାହାନ୍ତି। ତେବେ ଏମାନେ କି ପ୍ରକାର ବିକାଶ କରିବେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ। କଳାହାଣ୍ଡି ସାଂସଦ , ବିଧାୟକ କଣ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ତୁର୍କେଲ ପୋଲର ଟେଣ୍ଡର ପ୍ରକ୍ରିୟା ସରକାର ତୁରନ୍ତ କରନ୍ତୁ। ନଚେତ୍ ଜିଲାକୁ ଯେତେ ମନ୍ତ୍ରୀ ଆସିବେ ତାଙ୍କୁ ଜିଲା କଂଗ୍ରେସ ଘେରାଉ କରିବ ବୋଲି ସେ ଚେତାବନୀ ଦେଇଥିଲେ।

Comments (0)
Add Comment