ପୋଲିସ ଭବନଠାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ।

ଭୁବନେଶ୍ୱର,୧୨/୦୮(ପିପିଟି):ଆଜି ଭୁବନେଶ୍ଵରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରି ସମ୍ମାନିତ କରିଛନ୍ତି।

ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ।

ପଦକ ପ୍ରାପ୍ତମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ଏସସିଆରବି)  ଅବିନାଶ କୁମାର, ଡିଆଇଜି (କ୍ରାଇମବ୍ରାଞ୍ଚ)  ବି. ଗଙ୍ଗାଧର, ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ, ଅନୁଗୋଳ ଏସପି  ରାହୁଲ ଜୈନ, ନୟାଗଡ ଏସପି ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଏସପି ହରିଶ ବିସି, ଜଗତସିଂପୁର ଏସପି  ଅଙ୍କିତ କୁମାର ବର୍ମା, ନବରଙ୍ଗପୁର ଏସପି କାଶ୍ୟପ ପାର୍ଥ ଜଗଦୀଶ, ବୌଦ୍ଧ ଏସପି କୁଳଦୀପ ମୀନା, ଏସଡିପିଓ, ଆର. ଉଦୟଗିରି, ଗଜପତି  ରାକେଶ କୁମାର ସାହୁ, କମାଣ୍ଡାଣ୍ଟ (ତୃତୀୟ ଆଇଆରବିନ, କଳିଙ୍ଗ ନଗର) ୟାକୁବ ଖାନଙ୍କ ସହିତ ୩ ଜଣ ଅତିରିକ୍ତ ଏସ୍‌ପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସ୍‌ପି, ଜଣେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ୍‌-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଓ ୧୩ ଜଣ କନଷ୍ଟେବଳ /ଓଏପିଏଫ /ସିପାହୀ ଅନ୍ତର୍ଭୁକ୍ତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଉପରୋକ୍ତ ଅଧିକାରୀ ଓ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଥିଲା ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ)  ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ରାଜ୍ୟ ପୋଲିସ ମୁଖ୍ୟାଳୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Comments (0)
Add Comment