ପୋଲିସ – ନକ୍ସଲ ଗୁଳି ବିନିମୟ; ଏସଓଜି ଯବାନ ଗୁରୁତର ।

ଭଞ୍ଜନଗର, ୧୮/୦୯(ପିପିଟି):ଭଞ୍ଜନଗର-ଗଞ୍ଜାମ କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଦାଉସର  ଜଙ୍ଗଲରେ ଏସଓଜି ଟିମ୍ ପକ୍ଷରୁ ୩ ଦିନ ହେବ କମ୍ବିଂ ଅପରେସନ ଚାଲିଥିବା ବେଳେ ଆଜି ପୋଲିସ ଓ ନକ୍ସଲ ମୁଁହାମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ବେଳେ ଜଣେ ଏସଓଜି ଯବାନ ପ୍ରେମ ସିଂ ମାଝୀଙ୍କ ପ୍ରଥମେ ହାତରେ ପରେ ପେଟରେ ଗୁଳି ବାଜି ଗୁରୁତର ହୋଇଛନ୍ତି।ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ୟ ସହକର୍ମୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଇନ୍ଦ୍ରଗଡ଼ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ମେଡିକାଲ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଯାଇଛି ।ସୂଚନାପ୍ରକାରେ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ନକ୍ସଲଙ୍କ ଚଳପ୍ରଚଳ ଲାଗି ରହିଥିବା ବେଳେ ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ବହୁ ବର୍ଷ ପରେ ପୁଣି ନକ୍ସଲଙ୍କ ଗତିବିଧି ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଓ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment