କଟକ,୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ ହୋଇଛି। ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟଗଡ(KKBN) ସଂଗଠନର ସକ୍ରିୟ ସଦସ୍ଯ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସର ଏହି ସଫଳତା ନିମନ୍ତେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ କନ୍ଧମାଳ ପୋଲିସ ଓ ଗୁଇନ୍ଦା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅକ୍ଟୋବର ୨୩ ତାରିଖରୁ ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ସମ୍ପର୍କରେ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା। ଏନେଇ ପୋଲିସ ଏବଂ ଏସଓଜି ଯବାନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ଭହିଥିଲା। ଏହି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ଯୁ ଘଟିଥିଲା। ଏକେ-୪୭ ସହିତ କଛି ମାଓବାଦୀ ବ୍ଯବହାର କରୁଥିବାର ସାମଗ୍ରୀ ଜବତ ହୋଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାଯୋଗ୍ଯଯେ ୨୦୨୪ ମସିହାରେ ଓଡ଼ିଶା ପୋଲିସ ଦ୍ବାରା ବର୍ତ୍ତମାନ ସୁଦ୍ଧା ୫ଜଣ ମାଓବାଦୀ ମୃତବରଣ କରିଛନ୍ତି।