ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା,ଠିକାଦାରଙ୍କ ଗାଡି ପୋଡିଲେ ମାଓବାଦୀ ।

ମାଲକାନଗିରି,୨୨/୦୧(ପିପିଟି): ଛତିଶଗଡ଼ ରାଜ୍ୟରେ ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କଲା ଲାଲବାହିନୀ । ହତ୍ୟା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଡିଆରଜି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ଏକ ଠିକା କମ୍ପାନୀ ଦ୍ୱାରା ନିର୍ମିତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ରାସ୍ତା କାମକୁ ବିରୋଧ କରି ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ୧୦/୧୨ଗୋଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ।ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ମଧ୍ଯ ନୟନ୍ତ୍ରଣ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ବିଜାପୁର ଜିଲ୍ଲା ଚେରିଖୁଣ୍ଟା ଗାଁରେ ଯବାନଙ୍କ କୁମ୍ବିଂ ଅପରେସନ୍‌କୁ ବିରୋଧ କରି ସଶସ୍ତ୍ର ମାଓବାଦୀ ତିନୋଟି ଗାଡିରେ ନିଆଁ ଲଗାଇ ଧ୍ୱଂସ କରିଥିଲେ ।ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ରାସ୍ତା ନିର୍ମାଣ କାମକୁ ମଧ୍ୟ ଦୃଢ ବିରୋଧ କରିଛି ଲାଲବାହିନୀ । ସଡକ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ଏକତରଫା ରଖି ମାଓବାଦୀମାନେ ଗୋଟିଏ ଜେସିବି, ଗୋଟିଏ ମିକ୍ସଚର୍ ମେସିନ୍ ଓ ଗୋଟିଏ ଟ୍ରାକ୍ଟର ସହ କିଛି ଗାଡ଼ିରେ ନିଆଁ ଲଗାଇଦେଇଥିଲେ । ପରିସ୍ଥିତି ତଦାରଖ କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମୀଙ୍କର ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି କମଳ ଲୋଚନ କାଶ୍ୟପ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment