ପୋଲିସର ଦୋମୁହାଁ ନୀତି ନେଇ ବର୍ଷିଲେ ପୂର୍ବତନ ବିଧାୟକ ପ୍ରଣବ ।

ଯାଜପୁର,୨୪/୦୭(ପିପିଟି):ଯାଜପୁର ପୋଲିସର ଦୋମୁହାଁ ନୀତି। ଧର୍ମଶାଳାରେ ଗୋଟିଏ ଆଇନ ବଡ଼ଚଣାରେ ଆଉ ଏକ ଆଇନ। ବିଭିନ୍ନ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ନକରି ନିର୍ଦ୍ଦୋଷଙ୍କୁ ପୋଲିସ ଉଠାଇନେବା ଘଟଣାକୁ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଦୃଢ଼ ନିନ୍ଦା କରିଛନ୍ତି। ଆଜି ଅପରାହ୍ନରେ ଧର୍ମଶାଳା ବ୍ଲକ ଜାରକା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ପୋଲିସର କାର୍ଯ୍ୟକଳାପକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କିଛି ମାସ ତଳେ ଧର୍ମଶାଳା ଥାନାର ଜଣେ ଏଏସଆଇଙ୍କୁ ଥାନା ଭିତରେ ପଶି କିଛି ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଯେଉଁଥିପାଇଁ ଥାନା ପରିସରରେ ସେ ନିଜକୁ ଅସୁରକ୍ଷିତ ମଣିବା ସହ ନ୍ୟାୟ ଭିକ୍ଷା କରିଥିଲେ। ଏଘଟଣାରେ ପୋଲିସ କୌଣସି ପଦକ୍ଷେପ ନନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ବୁଲୁଛନ୍ତି। କିନ୍ତୁ ଗତକାଲି ରାତିରେ ଧର୍ମଶାଳା ଅଞ୍ଚଳର ଜଣେ ଯୁବକକୁ ବଡ଼ଚଣା ପୋଲିସ ଏକ ଘଟଣାରେ ଉଠାଇ ନେଇଥିଲା। ଗତ ଏକ ମାସ ତଳେ ଘଟିଥିବା ଏକ ଘଟଣାରେ କୌଣସି ସମ୍ପୃକ୍ତି ନଥାଇ ଯୁବକକୁ ଉଠାଇ ନେଇଥିବାରୁ ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ସେଠାରେ ପହଂଚିବାରୁ ପୋଲିସ ତାକୁ ଛାଡି ଦେଇଥିଲେ। ଏହି ଘଟଣାକୁ ନେଇ ପ୍ରଣବ ଯାଜପୁର ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ପୋଲିସର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି।

Comments (0)
Add Comment