ପୋଲସରା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ ।

ପୋଲସରା,୧୯/୧୧(ପିପିଟି): ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ କରିବା ସହିତ ପୂର୍ବରୁ ବିଭିନ୍ନ ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଲାଗି ଛଅ ବର୍ଷ ଚାକିରି କାଳ ଗଣନା ଏବଂ ଛଅଟି ଇନ୍‌କ୍ରିମେଣ୍ଟ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଦୀର୍ଘଦିନରୁ କାର୍ଯ୍ୟ କରିଆସୁଥିବା ପ୍ରାଥମିକ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କୁ ସେଥିରୁ ବଞ୍ଚିତ କରିଛନ୍ତି। ଏହି ଅନ୍ୟାୟର ପ୍ରତିବାଦ କରିବା ପାଇଁ ରାଜ୍ୟ ସ୍ତରରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଗଠନ କରାଯାଇଛି। ମହାସଂଘର ନିଷ୍ପତ୍ତି କ୍ରମେ ଆସନ୍ତା ୨୭ ତାରିଖ ଠାରୁ ଭୁବନେଶ୍ଵର ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନୁଷ୍ଠିତ ହେବ। ଛଅ ବର୍ଷର ବରିଷ୍ଠତା ଓ ଇନ୍‌କ୍ରିମେଣ୍ଟ୍ ସହିତ କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନ୍ସନ୍ ଦାବି ଜଣାଇ ଶିକ୍ଷକମାନେ ବିକ୍ଷୋଭ କରିବେ। ସରକାର ହୃଦୟତାର ସହିତ ଏହି ଦାବିଗୁଡ଼ିକ ପୂରଣ କଲେ ଶିକ୍ଷକସମାଜ ଚିର କୃତଜ୍ଞ ରହିବେ। ଦାବି ପୂରଣ ନ ହେଲେ ଶିକ୍ଷକମାନଙ୍କ ଅସନ୍ତୋଷର ପ୍ରଭାବ ପ୍ରାଥମିକ ଶିକ୍ଷା ସହିତ ବିଭିନ୍ନ ସରକାରୀ କାର୍ଯ୍ୟ କ୍ଷେତ୍ରରେ ପ୍ରତିଫଳିତ ହେବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଯେହେତୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ, ତେଣୁ ଇତି ମଧ୍ୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟରୁ ବିରତି ଦେବା ପାଇଁ ବିଇଓ ଏବଂ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି । ଏବିଇଓ ସ୍ବରୂପ କୁମାର ପାତ୍ର ତଥା ସେକ୍ସନ୍ ଅଫିସର୍ ଶ୍ରୀନିବାସ ପଟ୍ଟନାୟକ ସଂଘ କର୍ମକର୍ତ୍ତାମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ଏହି ଅବସରରେ ସମ୍ପାଦକ ଦିଲୀପ କୁମାର ସେଠୀ, ଯୁଗ୍ମ ସମ୍ପାଦକ କୁଳମଣି ସାହୁ ତଥା ସ୍ବର୍ଣ୍ଣଲତା ସାହୁ, ଉପ ସଭାପତି ତ୍ରିଲୋଚନ ପାତ୍ର ତଥା ବିଷ୍ଣୁପ୍ରିୟା ପାତ୍ର, ବ୍ଳକ୍ ସଂଯୋଜକ ତୋଫାନ୍ ସ୍ବାଇଁ, ମିଡ଼ିଆ ସଂଯୋଜକ ବସନ୍ତ କୁମାର ମହାରଣା ଏବଂ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଡାକୁଆଙ୍କ ସମେତ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଓ କନିଷ୍ଠ ଶିକ୍ଷକ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment