ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ।

ପୋଲସରା,୧୧/୦୮ (ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ ହୋଇଯାଇଛି। ପୋଲସରା ବିଧାୟକ ତଥା ପ୍ରାଣୀସମ୍ପଦ ଓ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ନୂତନ ଅତିରିକ୍ତ ଶ୍ରେଣୀଗୃହ ଏବଂ ଇ -ଗ୍ରନ୍ଥାଗାର ଉଦଘାଟନ ହୋଇଯାଇଛି। ଉଦଘାଟନ କାର୍ଯ୍ୟପରେ ଛାତ୍ର ଓ ଛାତ୍ରୀ , ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ବୃନ୍ଦଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକାର୍ଯ୍ୟକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ଭଗବାନ ତ୍ରିପାଠୀ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସେବା ନିବୃତ ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟେଟର ଡ଼ଃ ହୃଷୀକେଶ ଦାଶ ମହାବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିବା ବେଳେ ଏନସିସି କ୍ୟାଡେଟ ମାନେ ପାଛୋଟି ନେଇଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ କଠୋର ପରିଶ୍ରମ ମାଧ୍ୟମରେ ଉଚିତ୍ ଶିକ୍ଷା ଆହରଣ କରିବା ସହ ସମାଜରେ ଜଣେ ଜଣେ ଉତ୍ତମ ଚରିତ୍ରବାନ୍ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏବଂ ମାତା, ପିତା,ଗୁରୁଙ୍କ ଭୂମିକା ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଏହି ସମୟରେ ମନ୍ତ୍ରୀ ମହୋଦୟ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ନେଇ ଛାତ୍ରଛାତ୍ରୀମାନଙ୍କ ଠାରୁ ଅବଗତ ହେବାସହ ତ୍ୱରିତ ସମାଧାନ କରିବାର ପ୍ରତଶ୍ରୁତି ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଭାରେ ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ଡ଼ଃ ନାରାୟଣ ବେହେରା, ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର,ଘୁମୁସର ଜିଲ୍ଲା ଭାଜପା ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା, ଘୁମୁସର ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପୂର୍ବତନ ସଭାପତି ଦୀପକ କୁମାର ପ୍ରଧାନ,ନଗର ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ସେବାନିବୃତ୍ତ ପ୍ରଧାନ ଶିକ୍ଷକ କାମ୍ପ ବାଢେଇ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ସ୍ୱାଇଁ ପରିଚାଳନା କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ଡ଼. ବିରଞ୍ଚି ନାରାୟଣ ରଥ ମାନ୍ୟବର ମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମୃତିଫଳକ ସ୍ୱରୂପ ମାନପତ୍ର ପଠନ କରିଥିଲେ। ବୈଦ୍ଧିକ ମନ୍ତ୍ରପାଠ ଇଂରାଜୀ ଅଧ୍ୟାପକ ଡ଼. ହରିଶ୍ଚନ୍ଦ୍ର ପାଇକ କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅନୀଲ କୁମାର ଦାଶ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମଞ୍ଚାସୀନ ଅତିଥି, ଅନ୍ୟ ସମସ୍ତ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ବିଶେଷ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment