ପୋଲସରା,୧୭/୦୧ (ପିପିଟି): ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଦିପିଓ ତିଳୋତ୍ତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବେଟି ବଚାଓ, ବେଟି ପଢାଓ’ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ତଥା ଜିଲ୍ଲା ରିସୋର୍ଚ୍ଚ ପର୍ସନ (ଆରପି) ଦାଶରଥି ତ୍ରିପାଠୀ ଓ ଆଇନଜୀବୀ ତଥା ରିସୋର୍ଚ୍ଚ ପର୍ସନ ଜମିର ଅଲ୍ଲୀ ଖାନ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରହ୍ମପୁର (ଆର୍ଥିକ ସାକ୍ଷରତା) ଦିଲୀପ କୁମାର ଦଳାଇ, ବାପୁଜୀ କନିଆରୀ (ବିଏଚ୍ଇ ଡବ୍ଲୁ, ହୁବକ୍ଟାବଟ), ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର ଓ ଶିକ୍ଷକ ସମୀର କୁମାର ଦଳାଇ ପ୍ରମୁଖ ଯୋଗଦେଇ କିଶୋରୀ ବାଳିକାଙ୍କ ପାଇଁ ରହିଥିବା ବିଭିନ୍ନ ସାମ୍ବିଧାନିକ ପରିସରଭୁକ୍ତ ଅଧିକାର ଓ ଯୋଜନା, ସାମାଜିକ, ଅର୍ଥନୈତିକ ସମେତ ଆର୍ଥିକ ସାକ୍ଷରତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମୁହିକ ଭାବେ ସଚେତନତା ପାଠ କରାଯିବା ସହିତ ୩ ଜଣ କଲେଜର କିଶୋରୀ ଚମ୍ପିୟାନ ଛାତ୍ରୀଙ୍କୁ ପ୍ରଶଂସାପତ୍ର ସହିତ ୧୦୦୦ ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା। ସଭାକାର୍ଯ୍ୟ ସଂଯୋଜନା ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାସ କରିଥିବା ବେଳେ ଉପସ୍ଥିତ ଅନ୍ୟ ଅଞ୍ଚଳ ପରିଦର୍ଶିକା, ଅଙ୍ଗନୱାଡି କର୍ମୀଙ୍କ ସମେତ ସ୍ଥାନୀୟ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଓ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଆର.ଡବ୍ଲୁ.ଏଚ.ଏସ)ର ଛାତ୍ରୀମାନେ ଉପସ୍ଥିତ ଥିଲେ ।ଏଥିସହ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପରିଦର୍ଶିକା ଦାସ କାର୍ଯ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା